ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା: ଅଭିଯୋଗ ଆଣିଲେ ବାପଘର ଲୋକେ

ଆଳି, ୨୫।୯ (ଡି.ଏନ୍‌.ଏ.):ଆଳି ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ବେଣୁଧର ସ୍ବାଇଁ ବୋହୂ ସୁନୀତା ନାୟକ(୨୮)ଙ୍କୁ ଶାଶୂଘର ଲୋକେ ଯୌତୁକ ପାଇଁ ହତ୍ୟା କରିଛନ୍ତି। ଏ ନେଇ ମଙ୍ଗଳବାର ସୁନୀତାଙ୍କ ଭାଇ ବିଲିକଣା ଗ୍ରାମର ଅମର ନାୟକ ଥାନାରେ ଅଭିଯାଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ୨୦୧୮ ଜୁଲାଇ ୧୫ରେ ସୁନୀତା ନରେନ୍ଦ୍ରପୁରର ବେଣୁଧରଙ୍କ ପୁଅ ଚିତ୍ତରଞ୍ଜନଙ୍କୁ ବୈଦିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବାହାଘର ମାସକ ପର୍ଯ୍ୟନ୍ତ ସବୁ ଠିକ୍‌ ଚାଲିଥିବା ବେଳେ ଏହାପରେ ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକେ ସୁନୀତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ତାଙ୍କ ବାପଘର ଲୋକେ ଏ ସମ୍ପର୍କରେ ଜାଣିବା ପରେ ଭଦ୍ରଲୋକଙ୍କ ଉପସ୍ଥିତିରେ ଅପୋସ ସମାଧାନ କରାଯାଇଥିଲା। ମାତ୍ର ସ୍ବାମୀଙ୍କ ସମେତ ଶାଶୁ, ଶ୍ୱଶୁର, ନଣନ୍ଦ ଓ ଦିଅର ତାଙ୍କୁ ନିର୍ଯାତନା ଦେଉଥିଲେ। ଦୁଇ ଦିନ ତଳେ ଶାଶୁଘର ଲୋକେ ତାଙ୍କୁ ମାଡ଼ ମାରିଥିବା ନେଇ ସେ ବାପଘରକୁ ଜଣାଇଥିଲେ। ହେଲେ ମଙ୍ଗଳବାର ସକାଳେ ସେ ଶୌଚ ହେବାକୁ ଯାଇ ଫେରି ନ ଥିବା ସମ୍ପର୍କରେ ଶାଶୁଘର ଲୋକେ ଫୋନ୍‌ ଯୋଗେ ଜଣାଇଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ବ୍ରାହ୍ମଣୀ ନଦୀରୁ ସୁନୀତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ଶାଶୁଘର ଲୋକେ ସୁନିତାଙ୍କୁ ମାରି ନଦୀରେ ଫୋପାଡ଼ି ଦେଇଥିବା ଅମର ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ୧୬୪/୧୯ ନଂ.ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଆଇଆଇସି ସଲିଲ କୁମାର ପ୍ରଧାନ କହିଛନ୍ତି।