ଯୌତୁକ ଜନିତ ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ

କୁଜଙ୍ଗ,୮ା୧(ଡି.ଏନ.ଏ.):କୁଜଙ୍ଗ ଥାନା ଅଧୀନ ଅରଖିଆ ଗ୍ରାମରେ ଯୌତୁକ ଜନିତ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଅଧିକ ଯୌତୁକ ନ ଆଣିବାରୁ ଗ୍ରାମର ସୁଦାମ ସେଠୀଙ୍କ ସ୍ତ୍ରୀ ପ୍ରଭାବତିଙ୍କୁ ସ୍ବାମୀ ଓ ଶାଶୁଘର ଲୋକେ ମାରି ଦେଇଥିବା ପ୍ରଭାବିତଙ୍କ ବାପା ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୋଲିସ ଏକ ମାମଲା ନଂ-୪/୨୦ ରୁଜୁ କରିବା ସହ ପ୍ରଭାବତିଙ୍କ ସ୍ବାମୀଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଦିଲୀପ ସାହୁ କହିଛନ୍ତି। କୁଜଙ୍ଗ ବ୍ଲକ ଭୂତମୁଣ୍ଡାଇ ଗ୍ରାମର ପ୍ରମୋଦ ସେଠୀଙ୍କ ଝିଅ ପ୍ରଭାବତି ୯ବର୍ଷ ତଳେ ସୁଦାମଙ୍କୁ ବିବାହ କରିଥିଲେ। ବିବାହ ସମୟରେ ପ୍ରଭାବତିଙ୍କ ବାପା ଯୌତୁକ ବାବଦରେ ୧ଲକ୍ଷ ଟଙ୍କା ସହ ଅନ୍ୟ ସାମଗ୍ରୀ ଦେଇଥିଲେ। ବିବାହର ୨ବର୍ଷ ପରେ ଆଉ ୫୦ହଜାର ଟଙ୍କା ବାପଘରୁ ଆଣିବା ପାଇଁ ବାରମ୍ବାର ପ୍ରଭାବତିଙ୍କୁ ତାଙ୍କ ଶାଶୁ ଘର ଲୋକ କହି ଆସୁଥିଲେ। ଫଳରେ ପ୍ରଭାବତି ବାପାଙ୍କୁ ଏକଥା ଜଣାଇଥିଲେ। ତାଙ୍କ ବାପା ଗ୍ରାମର ଭଦ୍ର ଲୋକଙ୍କୁ ନେଇ କୁଜଙ୍ଗ ଥାନାରେ ଏହାର ସମାଧାନ କରାଇଥିଲେ। କିନ୍ତୁ ଗତ ୫ ତାରିଖ ଦିନ ପ୍ରଭାବତିଙ୍କୁ ଶାଶୁ, ସ୍ବାମୀ,ଶ୍ୱଶୁର ମିଶି ମାଡ଼ ମାରିବା ସହ ଖାଇବାକୁ ଦେଇ ନ ଥିଲେ। ମଙ୍ଗଳବାର ଫୋନ ଦ୍ୱାରା ପ୍ରଭାବତି ଅସୁସ୍ଥ ଥିବା ଶଶୁଘର ଲୋକେ ତାଙ୍କ ବାପାଙ୍କୁ ଜଣାଇଥିଲେ। ବାପା ପ୍ରମୋଦ ଯାଇ ଦେଖିବାବେଳକୁ ଝିଅର ମୃତ୍ୟୁ ହୋଇ ସାରିଥିଲା। ତେଣୁ ତାଙ୍କ ଝିଅକୁ ଶାଶୁ ଘର ଲୋକେ ହତ୍ୟା କରିଥିବା ସେ ଥାନାରେ ଅଭିଯୋଗ କରିଥିଲେ।