ଯୋଡ଼ାରେ କୋଭିଡ୍‌-୧୯ ହସ୍ପିଟାଲ ଲୋକାର୍ପିତ: ୫୦ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଆଇସିୟୁ, ଭେଣ୍ଟିଲେଟର ବ୍ୟବସ୍ଥା ଉପଲବ୍ଧ

ଯୋଡ଼ା, ୧୦।୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ପୌରପାଳିକାର ସଭାଗୃହଠାରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦିନ ୧୨ଟା ବେଳେ ଅନୁଷ୍ଠିତ ଏହି ସମ୍ମିଳନୀରେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ, ଯୋଡ଼ା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, ଟାଟାଷ୍ଟିଲ କମ୍ପାନୀର ଜେନେରାଲ ମ୍ୟାନେଜର ଅତୁଲ ଭଟ୍ଟନାଗର ଓ ଯୋଡା ଟାଟାଷ୍ଟିଲ ମୁଖ୍ୟ ରାଜେଶ କୁମାର ଉପସି୍ଥତ ଥିଲେ ା ଏହି ପରୀପ୍ରେକ୍ଷୀରେ ଯୋଡାର ଟାଟାଷ୍ଟିଲ ଡାକ୍ତରଖାନାରେ ଏକ ୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ – ୧୯ ଡାକ୍ତରଖାନା ଲୋକାର୍ପଣ ହୋଇଥିବା ଜିଲାପାଳ ଠାକ୍‌ରେ ସୂଚନା ଦେଇଥିଲେ। ଏତଦ୍‌ବ୍ୟତୀତ ଅତୁଲ ଭଟ୍ଟନାଗରଙ୍କ ସୂଚନାନୁଯାୟୀ ସମୁଦାୟ ୧୮ ଜଣ ଡାକ୍ତର ସେଠାରେ ରୋଗୀମାନଙ୍କୁ ଚିକିତ୍ସା କରିବା ସହିତ ଡାକ୍ତରଖାନାରେ ଆଇସିୟୁ ଓ ୩ଟି ଭେଣ୍ଟିଲେଟରର ସୁବିଧା ରହିଛି। ଏଠାରେ ସମ୍ପୂର୍ଣ୍ଣ ନିଶୁଳ୍କ ସେବା ପ୍ରଦାନ କରାଯିବ ବୋଲି ଜିଲାପାଳ କହିଛନ୍ତି। ଡାକ୍ତରମାନଙ୍କ ସୁରକ୍ଷା ପାଇଁ ପିପିଇ ପୋଷାକ ଓ ମାସ୍କ ଯୋଗାଇ ଦିଆଯାଇଛି ା ଜିଲାପାଳ ଠାକରେଙ୍କ ସୂଚନାନୁଯାୟୀ, ବର୍ତ୍ତମାନ ସୁଦ୍ଧା କେନ୍ଦୁଝର ଜିଲାରେ ୩୭ ଜଣ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି। ଏତଦ୍‌ବ୍ୟତୀତ ବିଭିନ୍ନ ରାଜ୍ୟରୁ ଆସୁଥିବା ୪୨୭୫ ଜଣଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଜିଲାରୁ ଏପର୍ଯ୍ୟନ୍ତ ୨୦୦ କୋଭିଡ୍‌ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏତଦବ୍ୟତୀତ ଗରିବ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କାର୍ଯ୍ୟ ଜାରି ରହିବ ବୋଲି ଜିଲାପାଳ କହିବାସହିତ ସାମାଜିକ ଦୂରତା ପାଳନ ଏବଂ ମାସ୍କ ପିନ୍ଧିବା ପାଇଁ ଗଣମାଧ୍ୟମକୁ କହିଥିଲେ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଆନ୍ତଃରାଜ୍ୟ ସୀମାଞ୍ଚଳ ଗୁଡିକ ସିଲ୍‌ ରହିବ ବୋଲି ସେ ସୂଚନା ଦେଇଥିଲେ ା