ଯୋଗ ଗୋଷ୍ଠୀ, ପ୍ରତିରୋଧ ଶକ୍ତି ଓ ଏକତା

ରମେଶ ପୋଖରିୟାଲ ‘ନିଶଙ୍କ’

୨୦୧୪ ସେପ୍ଟେମ୍ବର ୨୭ ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘର ସାଧାରଣ ପରିଷଦରେ ଦେଇଥିବା ଭାଷଣ ଅବସରରେ ସେ କରିଥିବା ପ୍ରଚେଷ୍ଟା ଯୋଗୁ ଜୁନ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ (ଆଇୱାଇଡି) ରୂପେ ପାଳନ କରିବା ସକାଶେ ଜାତିସଂଘ ଘୋଷଣା କରିଥିଲା। ଜାତିସଂଘ ଏହି ଘୋଷଣା ୨୦୧୪ ମସିହା ଡିସେମ୍ବର ୧୧ ତାରିଖ ଦିନ କରିଥିଲା, ଯାହା କି ଭାରତ ପାଇଁ ଏକ ଗୌରବର ଦିନ କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ସଂକଳ୍ପ କାହିଁକି ବୈଶ୍ୱିକ ଓ ବିଶେଷ ମହତ୍ତ୍ୱ ରଖେ? ଏହି ପ୍ରଶ୍ନର ଉତ୍ତର ହେଉଛି ଯୋଗର ସାର୍ବଜନୀନତା ଏବଂ ଗ୍ରହଣୀୟତା। ବିଶ୍ୱ ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ହୁଏତ ବିଭାଜିତ ହୋଇଥାଇ ପାରେ କିନ୍ତୁ ଯୋଗ ଏହାକୁ ଏକତା ସୂତ୍ରରେ ବାନ୍ଧି ରଖିପାରିଛି ଏବଂ ଏହା ଏହି ଦୃଷ୍ଟିରୁ ପ୍ରମାଣିତ ଯେ ବିଶ୍ୱର ୧୭୭ଟିରୁ ଅଧିକ ରାଷ୍ଟ୍ର ଆନ୍ତର୍ଜାତିକ ଯୋଗ ଦିବସ ପ୍ରସ୍ତାବକୁ ସମର୍ଥନ କରିଥିଲେ, ଯଦ୍ୟପି ୧୭୫ଟି ରାଷ୍ଟ୍ର ଭାରତ ସହ ମିଶି ପ୍ରସ୍ତାବ ଆଗତ କରିଥିଲେ। ଗୋଟିଏ ପ୍ରସ୍ତାବକୁ ଏତେ ସଂଖ୍ୟକ ରାଷ୍ଟ୍ର ମିଳିତ ଭାବେ ଦେବା ଅଦ୍ୟାବଧି ମିଳିତ ଜାତିସଂଘ ଇତିହାସରେ ସର୍ବପ୍ରଥମ। ପୁନଶ୍ଚ ମାତ୍ର ୯୦ ଦିନ ମଧ୍ୟରେ ଗୋଟିଏ ରାଷ୍ଟ୍ର ଦ୍ୱାରା ପ୍ରସ୍ତାବିତ ହୋଇ ତାହା ଜାତିସଂଘ ସାଧାରଣ ପରିଷଦ ଭଳି ବୈଶ୍ୱିକ ସଂଗଠନ ଦ୍ୱାରା ଚୂଡ଼ାନ୍ତ ଭାବେ ଗୃହୀତ ହେବା ମଧ୍ୟ ଅନ୍ୟ ଏକ ବିରଳ କୀର୍ତ୍ତିମାନ। ପ୍ରଧାନମନ୍ତ୍ରୀ ମୋଦି କ୍ଷମତାକୁ ଆସିବାର ମାତ୍ର ଛଅମାସ ମଧ୍ୟରେ ଏହି ପରିକଳ୍ପନାକୁ ଆଶ୍ଚର୍ଯ୍ୟଜନକ ଭାବେ ସଂପାଦନ କରିପାରିଥିଲେ, ଯାହା କି ଦେଶ ସ୍ବାଧୀନ ହେବାର ୭୩ ବର୍ଷରେ ଆଜି ପର୍ଯ୍ୟନ୍ତ ହାସଲ କରାଯାଇ ପାରି ନ ଥିଲା। ଯୋଗର ୫୦୦୦ ବର୍ଷର ଐତିହ୍ୟକୁ ଏହା ଫଳରେ ବାସ୍ତବ ଭାବେ ବୈଶ୍ୱିକ ସ୍ବୀକୃତି ମିଳିଛି। ସେ ଏ ସମ୍ପର୍କରେ ନିଜର ମତ ପ୍ରଦାନ କରି କହିଥିଲେ ଯେ, ”ଯୋଗ ହେଉଛି ସ୍ବାସ୍ଥ୍ୟ ଓ ନିରାମୟତା ହାସଲ ଦିଗରେ ବୈଶ୍ୱିକ ଆକାଂକ୍ଷାର ପ୍ରତୀକ। ଜିରୋ ବଜେଟ ଦ୍ୱାରା ଏହା ସମସ୍ତ ଜନଙ୍କୁ ସ୍ବାସ୍ଥ୍ୟ ବୀମା ପ୍ରଦାନ କରିଥାଏ। ବିଶ୍ୱକୁ ଏହା ଅସୁସ୍ଥତାରୁ ନିରାମୟତା ଦିଗରେ ମାର୍ଗ ପ୍ରଦର୍ଶନ କରିଛି।“
”ଯୋଗ କୌଣସି ଧର୍ମ ନୁହେଁ। ଏହା ହେଉଛି ନିରାମୟତା, ଯୁବକତ୍ୱ ଏବଂ ମନ, ଶରୀର ଓ ଆତ୍ମା ମଧ୍ୟରେ ଅବିରାମ ସମନ୍ବୟ ସ୍ଥାପନ କରିବାର ବିଜ୍ଞାନ। ଏହା ମାନବ ସମାଜକୁ ସମନ୍ବୟ ଓ ଶାନ୍ତିର ମାର୍ଗ ପ୍ରଦର୍ଶନ କରିଥାଏ, ଯାହା କି ବିଶ୍ୱକୁ ଯୋଗର ପ୍ରକୃତ ବାର୍ତ୍ତା। ଏହା ମନ ଦ୍ୱାରା ମନକୁ ଏବଂ ମନ ମାଧ୍ୟମରେ ଯାତ୍ରା କରିବାର ଏକ ଅବ୍ୟର୍ଥ ସାଧନ।
ମହର୍ଷି ପତଞ୍ଜଳି ତାଙ୍କର ଯୋଗ ସାଧନା ଗ୍ରନ୍ଥ ‘ପତଞ୍ଜଳି ଯୋଗସୂତ୍ର’ ପାଇଁ ସୁପ୍ରସିଦ୍ଧ। ଶ୍ରୀଅରବିନ୍ଦ ଯୋଗ ଏବଂ ଯୋଗାଭ୍ୟାସର ନିର୍ଯାସକୁ ଅନୁବାଦ କରିବା ଦିଗରେ ମହାନ୍‌ ଯୋଗଦାନ କରି ଯାଇଛନ୍ତି। ସେ ପ୍ରସିଦ୍ଧ ହିନ୍ଦୁ ଧର୍ମଶାସ୍ତ୍ର ଭଗବଦ୍‌ ଗୀତା ଏବଂ ବିଭିନ୍ନ ଉପନିଷଦରୁ ନିର୍ଯାସ ସଂଗ୍ରହ କରି ତାହାକୁ ସରଳ ଓ ପ୍ରାଞ୍ଜଳ ଭାବେ ବ୍ୟାଖ୍ୟା କରିଛନ୍ତି। ବି.ଏସ୍‌. ଆୟାଙ୍ଗାର ଏବଂ ମହର୍ଷି ପରମହଂସ ଯୋଗାନନ୍ଦ ସମଗ୍ର ବିଶ୍ୱରେ ଯୋଗର ସାରତତ୍ତ୍ୱକୁ ପ୍ରଚାର ଓ ପ୍ରସାର କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେମାନେ ଧର୍ମଶାସ୍ତ୍ର ମାଧ୍ୟମରେ ଏବଂ ସେଥିରେ ଥିବା ଯୋଗର ଗୂଢ଼ ରହସ୍ୟକୁ ଯୋଗାଭ୍ୟାସ ଦ୍ୱାରା ଲୋକଙ୍କ ନିକଟରେ ପହଞ୍ଚାଇଛନ୍ତି। ସେମାନଙ୍କ ଶୃଙ୍ଖଳିତ ଏବଂ ପ୍ରେରଣାଦାୟୀ ଜୀବନଚର୍ଯ୍ୟା ଅସଂଖ୍ୟ ଲୋକଙ୍କୁ ଯୋଗ ପ୍ରତି ଆକୃଷ୍ଟ କରିଆସିଛି। ସେମାନେ ଏହାଦ୍ୱାରା ଏକ ପ୍ରଭାବିତ ଓ ଉନ୍ନତ ଜୀବନ ବଞ୍ଚତ୍ବାର ମାର୍ଗ ପାଇପାରିଛନ୍ତି। ସ୍ବାମୀ ବିବେକାନନ୍ଦ ପାଶ୍ଚାତ୍ୟ ଜଗତରେ ଯୋଗକୁ ସର୍ବାଧିକ ମାତ୍ରାରେ ପ୍ରଚାରିତ ଓ ପ୍ରସାରିତ କରିବା ଗୌରବର ଅଧିକାରୀ। ଭାରତୀୟ ବେଦାନ୍ତ ଦର୍ଶନ ଓ ଯୋଗ ଦର୍ଶନକୁ ସେ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ନିଜର ଭାଷଣ ମାଧ୍ୟମରେ ପ୍ରଚାରିତ କରିଥିଲେ। ଭାରତୀୟ ଦର୍ଶନ ଓ ଆଧ୍ୟାତ୍ମିକତା ସମ୍ପର୍କରେ ତାଙ୍କର ଅନାହତ ସ୍ବର ଆଜି ସୁଦ୍ଧା ଆମେରିକାର ଶିକାଗୋ ସହରରେ ଗୁଞ୍ଜରିତ ହୁଏ।
ଆଜି ଯୋଗ ଜଗତୀକରଣର ସବୁଠାରୁ ସଫଳ ଉତ୍ପାଦ ଭାବେ ବିବେଚିତ ହୋଇଛି। ପୁନଶ୍ଚ ମାନବୀୟ ଚେତନା ଓ ନିରାମୟତା ସକାଶେ ସର୍ବାଧିକ ଲୋକଙ୍କ ଦ୍ୱାରା ପାଳନ କରାଯାଉଥିବା ଉତ୍ସବ ବୋଲି ଏହାକୁ ଗ୍ରହଣ କରାଯାଇପାରେ। କ୍ଷେତ୍ର ଅବା ଧର୍ମ ନିର୍ବିଶେଷରେ ଆଜି ଯୋଗ କାର୍ଯ୍ୟକ୍ରମମାନ ସମଗ୍ର ବିଶ୍ୱରେ ଉତ୍ସବାକାରରେ ଆୟୋଜନ କରାଯାଉଛି। ଏହା ଆଜି ସବୁଠାରୁ ଦୃଢ଼ ଧର୍ମନିରପେକ୍ଷ ରଜ୍ଜୁରେ ପରିଣତ ହୋଇଛି, ଯାହା ବିବିଧ ତଥା ବିଭାଜିତ ବିଶ୍ୱକୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ସହାୟକ ହେଉଛି। ପୁନଶ୍ଚ ସ୍ବାସ୍ଥ୍ୟ ଓ ଆନନ୍ଦକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି। ଯେତେବେଳେ ବିଶ୍ୱ ନାନା କାରଣରୁ ବିଭାଜିତ ହୋଇଯାଉଛି ଯୋଗ ପୁଣି ଥରେ ମାନବ ସମାଜକୁ ଯୋଡ଼ୁଛି, ପରିବାରକୁ ପରସ୍ପର ସହ ମିଳାଉଛି, ସମାଜକୁ ଏକତା ସୂତ୍ରରେ ବାନ୍ଧି ରଖୁଛି ଏବଂ ରାଷ୍ଟ୍ରମାନଙ୍କୁ ଏକଜୁଟ କରି ବିଶ୍ୱର ସବୁଠାରୁ ବଡ଼ ଶକ୍ତିରେ ପରିଣତ କରୁଛି।
ଏହା ଖୁସିର କଥା ଯେ ଯୋଗ ହେଉଛି ସର୍ବାଧୁନିକ ଓ ସାର୍ବଜନୀନ ଭାବେ ବ୍ୟବହୃତ ହେଉଥିବା ସ୍ବାସ୍ଥ୍ୟ ଉପକ୍ରମ, ଯାହା କି ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ଏବେ ପରିଲକ୍ଷିତ ହୋଇଛି। ବିଶ୍ୱବାସୀ ସେମାନଙ୍କ ଜୀବନରେ ଯୋଗ କି ପ୍ରକାର ସକାରାମତ୍କ ପ୍ରଭାବ ପକାଇଛି ତାହା ଅନୁଭବ କରିପାରିଛନ୍ତି। ଆମେରିକାର ଲାଇବ୍ରେରୀ ଅଫ୍‌ ମେଡିସିନ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ, ଧ୍ୟାନ ସହିତ ଯୋଗାଭ୍ୟାସ ଲୋକମାନଙ୍କ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମନ୍ଥର କରିଥାଏ ଏବଂ ଅନେକ ପ୍ରକାର ରୋଗ ଆକ୍ରମଣରୁ ରକ୍ଷା କରିଥାଏ ବୋଲି ବୈଜ୍ଞାନିକମାନେ ଗବେଷଣାରୁ ଜାଣିପାରିଛନ୍ତି। ଯୋଗ ଅଭ୍ୟାସ ଦ୍ୱାରା ଜଣେ ବ୍ୟକ୍ତିର ଚିନ୍ତାଶକ୍ତିକୁ ଅଧିକ ପ୍ରଖର କରାଯାଇପାରିବ ଏବଂ ଯୋଗାଭ୍ୟାସ କରୁଥିବା ବ୍ୟକ୍ତି ଦୀର୍ଘ ନିରାମୟ ଜୀବନ ଲାଭ କରିଥାନ୍ତି। ଯୋଗ କେବଳ ଶାରୀରିକ ସ୍ବାସ୍ଥ୍ୟ ଚିକିତ୍ସାରେ ସହାୟକ ହୋଇ ନ ଥାଏ, ଅପରନ୍ତୁ ଏହା ଆବେଗିକ ତଥା ମାନସିକ ନିରାମୟତା ପ୍ରଦାନରେ ମଧ୍ୟ ସହାୟକ ହୋଇଥାଏ। ଏହା ଜଣେ ବ୍ୟକ୍ତିର ଆୟୁ ବଢ଼ାଇ ନ ଥାଏ ବରଂ ଆୟୁରେ ଜୀବନ ଭରି ଦେଇଥାଏ। ଗବେଷଣାରୁ ଜଣାପଡ଼ିଛି ଯେ, ଯୋଗାଭ୍ୟାସ ଦ୍ୱାରା ଶରୀରରେ ମଲିକ୍ୟୁଲାର ପରିବର୍ତ୍ତନ ଘଟିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ। ମାନସିକ ଅବସାଦ ଦୂର କରିବାରେ ମଧ୍ୟ ଯୋଗ ସାହାଯ୍ୟ କରିଥାଏ। ଯୋଗ ସର୍ବଦା ଭାରତୀୟ ସ୍ବାସ୍ଥ୍ୟରକ୍ଷା ଏବଂ ଶାରୀରିକ ଶିକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇ ରହିଆସିଛି। ଏବେ ବିଶ୍ୱ ସ୍ବାସ୍ଥ୍ୟରକ୍ଷା ପ୍ରତି ସାମଗ୍ରିକ ଭାବେ ଉପକ୍ରମ ଆରମ୍ଭ କରିଛି ଏବଂ ଯୋଗ ଏ ଦିଗରେ ନିର୍ଦ୍ଦେଶାମତ୍କ ଶିକ୍ଷା ପରିବର୍ତ୍ତେ ଏକ ‘ଦିବ୍ୟ ଅନୁଭବ ଶିକ୍ଷା’ ବୋଲି କୁହାଯାଇପାରେ। ଯୋଗ ସମ୍ପର୍କରେ ଏକଥା ମଧ୍ୟ ଆଲୋଚନା କରାଯାଏ ଯେ, ଏହାକୁ ଅଲିମ୍ପିକ୍ସରେ ଏକ କ୍ରୀଡ଼ା ପ୍ରତିଯୋଗିତା ଭାବେ ମଧ୍ୟ ଗ୍ରହଣ କରାଯାଇପାରିବ। ଆମେରିକା ଏହାକୁ ସଫଳତାର ସହ ଏକ କ୍ରୀଡ଼ା ଶୃଙ୍ଖଳା ଭାବେ ଆନୁଷ୍ଠାନିକ ସ୍ବୀକୃତି ପ୍ରଦାନ କରିସାରିଛି।
ହଲିଉଡ୍‌ଠାରୁ ନେଇ ହରିଦ୍ୱାର ପର୍ଯ୍ୟନ୍ତ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିଙ୍କ ଯାଏ, ପ୍ରତ୍ୟେକ ବ୍ୟକ୍ତି ଯୋଗାଭ୍ୟାସର ଉପକାରିତାକୁ ବର୍ତ୍ତମାନର ବୈଶ୍ୱିକ ମହାମାରୀ କରୋନା ସଂକ୍ରମଣର ସଂକଟ ସମୟରେ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ମୁଁ ହିମାଳୟ ପାଦଦେଶରେ ଅବସ୍ଥିତ ଦେବଭୂମି ଉତ୍ତରାଖଣ୍ଡ ରାଜ୍ୟର ଅଧିବାସୀ, ଯାହାକୁ କି ଯୋଗ ଏବଂ ଆୟୁର୍ବେଦର ଉପତ୍ତ୍ତି ସ୍ଥଳ ବୋଲି ବିବେଚନା କରାଯାଇପାରେ। ଏବେ ସମଗ୍ର ବିଶ୍ୱ ଆମ ଆଡ଼କୁ ଲକ୍ଷ୍ୟ କରୁଛି ଏବଂ ଏଭଳି ବୈଶ୍ୱିକ ମହାମାରୀ ସଂକଟ ବେଳେ ଆମକୁ ଅନୁକରଣ କରୁଛି। ଆଜି ବିଶ୍ୱ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇ ରହିଛି।
କିନ୍ତୁ ଏବେ ଯୋଗ ହିଁ ସର୍ବଶ୍ରେଷ୍ଠ ସ୍ବାସ୍ଥ୍ୟ ସଂସାଧନ, ଯାହା ଲୋକମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଜୀବନର ସନ୍ତୁଳନ ରକ୍ଷା ଦିଗରେ ସହାୟକ ହେଉଛି। ବିଗତ ବର୍ଷମାନଙ୍କ ଭଳି ସ୍ବାଭାବିକ ପରିସ୍ଥିତି ହୋଇଥିଲେ ଆମେମାନେ ଚଳିତବର୍ଷ ମଧ୍ୟ ସେହିଭଳି ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିଥାନ୍ତେ। କିନ୍ତୁ କୋଭିଡ୍‌-୧୯ ପରିସ୍ଥିତି ଯୋଗୁ ଆମକୁ ଏବେ ସାମାଜିକ ଦୂରତା ରକ୍ଷା କରିବାକୁ ପଡ଼ୁଛି ଏବଂ ଏଭଳି ସ୍ଥିତିରେ ଆମେମାନେ ଯୋଗ ଦିବସକୁ କେବଳ ପରିବାରର ସଦସ୍ୟଙ୍କ ସହ ଏକ ସୀମିତ ସ୍ଥାନରେ ହିଁ ପାଳିବାକୁ ପଡ଼ୁଛି। ମୁଁ ସମଗ୍ର ଦେଶ ଓ ବିଶ୍ୱ ସମୁଦାୟକୁ ନିବେଦନ କରୁଛି ଯେ, କୋଭିଡ୍‌-୧୯ ସେମାନଙ୍କ ମନରୁ ଯୋଗ ଦିବସର ଉତ୍ସାହକୁ ଯେପରି ପ୍ରଶମିତ କରି ନ ଦେଉ। ବିଗତ ପାଞ୍ଚବର୍ଷ ଭିତରେ ଆମେ ଯେଉଁ ସଫଳତା ହାସଲ କରିଛେ ତାହା କାଏମ ରହୁ। ବିଭିନ୍ନ ପ୍ରକାର ଅଧ୍ୟୟନ ଏବଂ ରିପୋର୍ଟ ପ୍ରମାଣିତ କରିଛି ଯେ, ଯୋଗ ଏବଂ ଧ୍ୟାନ କୋଭିଡ୍‌-୧୯ ସ୍ଥିତିରେ ଉପତ୍ନ୍ନ ମନସ୍ତାତ୍ତ୍ୱିକ ପ୍ରଭାବକୁ ପ୍ରତିହତ କରିବାର ସର୍ବଶ୍ରେଷ୍ଠ ଉପଶମକାରୀ ଶକ୍ତି। ଯୋଗରେ ବିଭିନ୍ନ ପ୍ରକାର ‘ପ୍ରାଣାୟାମ’ ରହିଛି, ଯାହା ଆମର ଶ୍ୱାସକ୍ରିୟା ବ୍ୟବସ୍ଥାକୁ ସୁଦୃଢ଼ କରିଥାଏ। ଅଧ୍ୟୟନରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ‘ପ୍ରାଣାୟମ’ କିଭଳି ଭାବେ ନଭେଲ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିପାରୁଛି। ଯୋଗ ବାସ୍ତବରେ ସମାଜ ପାଇଁ ଏକ ଅବ୍ୟର୍ଥ ମହୌଷଧି, ଯାହା ରୋଗ ପ୍ରତିରୋଧୀ ଶକ୍ତି ତଥା ଏକତା ବୃଦ୍ଧିରେ ସହାୟକ ହୋଇଥାଏ। ଯୋଗ, ଆୟୁର୍ବେଦ ଏବଂ ଆଧ୍ୟାତ୍ମିକତା ହେଉଛି ବିଶ୍ୱ ସମୁଦାୟକୁ ଯୁଗ ଯୁଗ ଧରି ଆମର ବାର୍ତ୍ତା ଯାହା ଆଜି ସୁଦ୍ଧା ସେହିଭଳି ପ୍ରଯୁଜ୍ୟ ଯେପରି ସହସ୍ର ବର୍ଷ ପୂର୍ବେ ଥିଲା। ତେଣୁ ନିର୍ବିବାଦରେ କୁହାଯାଇପାରେ ଯେ, ଯୋଗ ହେଉଛି ବିଶ୍ୱ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ଉନ୍ମୁକ୍ତ ତୋରଣ ସଦୃଶ।
(ଲେଖକ ମାନବ ସମ୍ବଳ ବିକାଶ ମନ୍ତ୍ରୀ,
ଭାରତ ସରକାର)


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri