ଯୋଗାଣ ବିଭାଗର ଚଢ଼ାଉ, ୧୪ ସିଲିଣ୍ଡର ଜବତ

ଭଞ୍ଜନଗର,୯।୨(ଡି.ଏନ.ଏ)- ଭଞ୍ଜନଗର ଉପଖଣ୍ଡ ଯୋଗାଣ ବିଭାଗ ପକ୍ଷରୁ ରବିବାର ସକାଳେ ସହରର ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଇ ବେନିୟମ ଭାବେ ବ୍ୟବହାର ହେଉଥିବା ୧୪ଟି ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ କରାଯାଇଛି। ବସ୍‌ଷ୍ଟାଣ୍ଡ ଓ ଏହା ନିକଟରେ ଥିବା ୪ ହୋଟେଲରେ ଚଢ଼ାଉ କରାଯାଇ ଉକ୍ତ ସିଲିଣ୍ଡର ଜବତ କରାଯାଇଛି। ଚଢ଼ାଉର ନେତୃତ୍ୱ ଉପଖଣ୍ଡ ଯୋଗାଣ ବିଭାଗ ଅଧିକାରୀ ଲିଙ୍ଗରାଜ ବେହେରା ନେଇଥିଲେ। ତାଙ୍କୁ ଭଞ୍ଜନଗର ଏମ୍‌ଆଇ ସନ୍ତୋଷ କୁମାର ଦାସ, ଆସିକା ଏମ୍‌ଆଇ ଜୟରାମ ଲେଙ୍କା, ଏମ୍‌ଆଇ ସୋରଡ଼ା ରସାନନ୍ଦ ସାହୁ, ସୁରେନ୍ଦ୍ର ସେଠୀ ପ୍ରମୁଖ ସହଯୋଗ କରିଥିଲେ। ପ୍ରକାଶ ଯେ, ସହରରେ ବେନିୟମ ଭାବେ ସବ୍‌ସିଡ଼ି ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ବିଭିନ୍ନ ହୋଟେଲରେ ବ୍ୟବହାର ହେଉଛି। ଏନେଇ ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ନିକଟରେ ଅଭିଯୋଗ ହୋଇଥିଲା। ତାଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ ହୋଇଥିଲା। ଆଗକୁ ଏହାକୁ ଜୋରଦାର କରାଯିବ ବୋଲି ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।