ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, କନଷ୍ଟେବଳ ଗିରଫ

ଭୁବନେଶ୍ୱର,୫-୨(ବ୍ୟୁରୋ):ବିବାହ ଆଳରେ ଯୁବତୀଙ୍କୁ ବଳାତ୍କାର କରି ସିଆର୍‌ପିଏଫ୍‌ରେ କାର୍ଯ୍ୟରତ ଜଣେ ଯବାନ ସୋମବାର ଗିରଫ ହୋଇଥିଲେ। ମଙ୍ଗଳବାର ଆଉ ଏକ ଘଟଣା ପଦାକୁ ଆସିଛି। ପୋଲିସ ବାବୁଙ୍କ ଦ୍ୱାରା ବାରମ୍ବାର ବଳାତ୍କାରର ଶିକାର ହୋଇଥିବା ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ଏସ୍‌ଏସ୍‌ବି ବାଟାଲିୟନର କନ୍‌ଷ୍ଟେବଳ କଟକର ରାଜେଶ ଦାସଙ୍କୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି।
ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ରାଜେଶ ଏସ୍‌ଏସ୍‌ବି ବାଟାଲିୟନରେ ୪ବର୍ଷ ହେବ କନ୍‌ଷ୍ଟେବଳ ଭାବେ ଚାକିରି କରୁଥିବାବେଳେ ଭିଆଇପିଙ୍କ ଏସ୍‌କର୍ଟ ଭ୍ୟାନ୍‌ରେ କାର୍ଯ୍ୟ କରନ୍ତି। ସେ ୩ବର୍ଷ ତଳେ ବିବାହ କରିଥିବାବେଳେ କଟକରେ ତାଙ୍କ ସ୍ତ୍ରୀ ଓ ପିଲା ରହୁଛନ୍ତି। ଦୁଇବର୍ଷ ତଳେ ଭୁବନେଶ୍ୱରରେ ଡ୍ୟୁଟି ସମୟରେ ଜଣେ ଯୁବତୀଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଯୁବତୀ ଜଣକ ରାଜଧାନୀରେ ରହି କମ୍ପିଟିଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଫୋନ୍‌ ନମ୍ବର ଦିଆନିଆ ପରେ ଦୁଇ ବନ୍ଧୁ ଭାରେ ଦୁହେଁ କଥା ହେଉଥିଲେ। ରାଜେଶ ଅବିବାହିତ ବୋଲି ଯୁବତୀଙ୍କୁ କହିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ବନ୍ଧୁତ୍ୱ ପ୍ରେମରେ ପରିଣତ ହୋଇଥିଲା। ରାଜେଶ ବିବାହ କରିବାକୁ କହି ଯୁବତୀଙ୍କୁ ଲଜ୍‌, ହୋଟେଲ ନେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀ ଜଣକ ଗତ କିଛିଦିନ ହେବ ରାଜେଶଙ୍କୁ ବିବାହ କରିବା ପାଇଁ କହିଥିଲେ। କିନ୍ତୁ ରାଜେଶ ନାନା ଆଳ ଦେଖାଇ ଏଡାଇ ଚାଲିଥିଲେ। ଶେଷରେ ଯୁବତୀଙ୍କ ଫୋନ୍‌ ନ ଉଠାଇବାରୁ ରାଜେଶଙ୍କ ଉପରେ ତାଙ୍କର ସନ୍ଦେହ ହୋଇଥିଲା। ଖୋଳତାଡ଼ ପରେ ରାଜେଶ ବିବାହିତ ଥିବା ଓ ସେ ପ୍ରତାରଣାର ଶିକାର ହୋଇଥିବା ଯୁବତୀ ଜଣକ ଜାଣିବା ପରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ସୋମବାର ପୋଲିସ ଅଭିଯୁକ୍ତ ରାଜେଶଙ୍କୁ ଥାନାକୁ ଉଠାଇ ନେଇଥିଲା। ଯୁବତୀ ଜଣକ ବିବାହ କରିବା ପାଇଁ କହିଥିଲେ ମଧ୍ୟ ରାଜେଶ ମନା କରିଦେଇଥିଲେ। ସୋମବାର ରାତିରେ ପ୍ରତାରଣାର ଶିକାର ହୋଇଥିବା ଉକ୍ତ ଯୁବତୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯୁବତୀ ଜଣକ ସୁସ୍ଥ ହେଉଥିବାବେଳେ ଏବେବି ରାଜେଶଙ୍କୁ ବିବାହ କରିବାକୁ କହୁଥିବା ପୋଲିସ କହିଛି।