Categories: ଗଞ୍ଜାମ

ଯୁବତୀଙ୍କୁ ହତ୍ୟା ଉଦ୍ୟମ ଘଟଣା: ଖଣ୍ଡି ଗ୍ୟାଙ୍ଗର ମୁଖ୍ୟ ସମେତ ୬ ଗଲେ ଜେଲ

ବ୍ରହ୍ମପୁର ଅଫିସ,୧୮ା୮-ବ୍ରହ୍ମପୁର ବଡବଜାର ଥାନା ଲକ୍ଷ୍ମୀନୃସିଂହ ସାହିରେ ୬ ଜଣ ଦୁର୍ବୃତ୍ତ ଆତଙ୍କ ଚଳାଇବା ସହ ବାଲବଚା ଗ୍ୟାଙ୍ଗର ମୁଖ୍ୟ ଲବ ସେଠୀଙ୍କୁ ନ ପାଇ ତାଙ୍କ ଭଉଣୀ କାମିନୀଙ୍କୁ ଖଣ୍ଡାରେ ହାଣି ଗୁରୁତର କରିଥିଲେ। ଏହି ଘଟଣାରେ ପୋଲିସ ଖଣ୍ଡି ଗ୍ୟାଙ୍ଗର ମୁଖ୍ୟ ନାରାୟଣ ବେହେରା ଓରଫ ଖଣ୍ଡି, ନୀଳାଚଳ ବେହେରା ଓରଫ କାଳିଆ, ଲକି ପାଢ଼ୀ, କାଳିଆ ଡାକୁଆ, ରାମ ପଣ୍ଡା ଓ ଶମ୍ଭୁ ମହାରଣାଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି। ଘଟଣା ପରେ ଅଭିଯୁକ୍ତମାନେ ଲୁଚାଇ ରଖିଥିବା ୨ଟି ଖଣ୍ଡା ଜବତ କରାଯାଇଥିବା ସେ କହିଛନ୍ତି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।
ପ୍ରକାଶ ଯେ, ୨୦୧୭ରେ ଲବ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀର ଖଣ୍ଡି ଓ ତାଙ୍କ ସହଯୋଗୀଙ୍କୁ ଆକ୍ରମଣ କରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ନାରାୟଣ ସୁଯୋଗ ଖୋଜୁଥିଲେ। ଗତ ୧୫ ତାରିଖ ରାତିରେ ଲବ ଦାଣ୍ଡରେ ଠିଆ ହୋଇଥିବା ବେଳେ ଖଣ୍ଡି ଗୋଷ୍ଠୀର ୬ଜଣ ୨ଟି ବାଇକ୍‌ରେ ସେଠାରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ଖଣ୍ଡା ଧରି ଲବଙ୍କୁ ହାଣିବା ପାଇଁ ଗୋଡ଼ାଇ ଥିଲେ। ହେଲେ ସେଠାରେ ଥିବା ତାଙ୍କ ଭଉଣୀ କାମିନୀ ଭାଇଙ୍କୁ ଘର ଭିତରକୁ ଯିବାକୁ କହି ଦୁର୍ବୃତ୍ତଙ୍କୁ ଅଟକାଇଥିଲେ। ଲବ ଖସି ପଳାଇବାରୁ ଅଭିଯୁକ୍ତମାନେ ରାଗରେ କାମିନୀଙ୍କୁ ଖଣ୍ଡାରେ ହାଣି ଦେଇଥିଲେ। ପୋଲିସ ଗୁରୁତର ଅବସ୍ଥାରେ କାମିନୀଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲା। ପରେ ଲବଙ୍କ ଅଭିିଯୋଗ କ୍ରମେ ନଂ.୧୩୩/୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।