ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ: ଯୁବକଙ୍କୁ ହତ୍ୟା ପରେ ଗଛରେ ଝୁଲାଇ ଦେଲେ ମୃତଦେହ

ଖୁଣ୍ଟୁଣୀ,୨୧ା୬(ଡି.ଏନ୍‌.ଏ.)-ଗୁରୁଡ଼ିଝାଟିଆ ଥାନା ଜେମାଦେଇପୁର ଗ୍ରାମରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରିବା ପରେ ଗଛରେ ଝୁଲାଇ ଦିଆଯାଇଥିବା ରବିବାର ଅଭିଯୋଗ ହୋଇଛି। ମୃତକ ହେଲେ ଗଙ୍ଗାଧର ପରିଡ଼ା(୧୯)। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆଠଗଡ଼ ଡାକ୍ତରଖାନା ପଠାଇଛି। ଗଙ୍ଗାଧରଙ୍କ ମା’ ସୁଲୋଚନା ପରିଡ଼ାଙ୍କ ଅଭିଯୋଗକ୍ରମେ ପୋଲିସ ଦଫା ୩୦୨/୩୪ରେ ଏକ ହତ୍ୟା ମାମଲା(ନଂ.୭୫/୨୦)ରୁଜୁକରି ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ଜେମାଦେଇପୁର ଗ୍ରାମର ଜଣେ ଯୁବତୀଙ୍କ ସହ ଗଙ୍ଗାଧରଙ୍କ ବନ୍ଧୁତା ରହିଥିଲା। ଶନିବାର ରାତି ପ୍ରାୟ ସାଢ଼େ ୧ଟାରେ ଗଙ୍ଗାଧର ଉକ୍ତ ଯୁବତୀଙ୍କ ଘରକୁ ଯାଇଥିଲେ। ଏହି ସମୟରେ ଯୁବତୀଙ୍କ ତିନି ଭାଇ ଗଙ୍ଗାଧରଙ୍କୁ ଦେଖିବା ସହ ମାଡ଼ ମାରିଥିଲେ। ଏହା ପରେ ଗଙ୍ଗାଧରଙ୍କ ମା’ଙ୍କୁ ଫୋନ କରିବା ସହ ତୁମ ପୁଅକୁ ଏଠାରୁ ନେଇଯାଅ ବୋଲି କହିଥିଲେ। ସୁଲୋଚନା ପହଞ୍ଚି ତାଙ୍କ ପୁଅକୁ ନେଇ ଆସୁଥିବା ବେଳେ ବାଟରୁ ପୁଣି ଉକ୍ତ ତିନି ଭାଇ ଗଙ୍ଗାଧରଙ୍କୁ ଛଡ଼ାଇ ନେଇ ସେଠାରୁ ପଳାଇଥିଲେ। ରବିବାର ସକାଳ ପର୍ଯ୍ୟନ୍ତ ଗଙ୍ଗାଧର ଘରକୁ ନ ଫେରିବାରୁ ସୁଲୋଚନା ଫୋନରେ ପଚାରିଥିଲେ। ତୁମ ପୁଅ କୁସପଙ୍ଗୀର ଏକ ଗଛରେ ଝୁଲୁଛି ବୋଲି ତିନିଭାଇ କହିଥିବା ସୁଲୋଚନା ତାଙ୍କ ଏତଲାରେ ଦର୍ଶାଇଛନ୍ତି। ଅଭିଯୁକ୍ତମାନେ ଫେରାର ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟତା ଜଣାପଡ଼ିବ ବୋଲି ତଦନ୍ତକାରୀ ଅଧିକାରୀ ଗୟାଧର ବେହେରା କହିଛନ୍ତି।