ବଲାଙ୍ଗୀର ଅଫିସ/ତରଭା, ୨୦ା୧(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ମିଛାପାଲି ଗ୍ରାମର ଆଲୋକ ନାଏକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସୋମବାର ବଇରାସର ନିକଟରେ ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥକୁ ଉତ୍ତ୍ୟକ୍ତ ଲୋକେ ଅବରୋଧ କରିଥିଲେ । ଆଲୋକ(୨୫)ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ତୁରନ୍ତ ହତ୍ୟାକାରୀକୁ ଗିରଫ କରିବା ଦାବି ନେଇ ଏହି ରାସ୍ତାରୋକୋ କରାଯାଇଥିଲା । ହତ୍ୟାକାଣ୍ଡ ପଛରେ ପ୍ରେମଜନିତ କାରଣ ରହିଥିବା ଚର୍ଚ୍ଚା ଜୋର ଧରିଛି । ପୋଲିସ ଖଲିଆପାଲି ଗ୍ରାମର ଜଣେ ଯୁବତୀଙ୍କୁ ପୁଇଁତଲା ଥାନାକୁ ନେଇ ପଚରାଉଚରା କରୁଛି ।
ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ରବିବାର ରାତି ପ୍ରାୟ ୧ଟାରେ ଖଲିଆପାଲିର ଜଣେ ଯୁବତୀ ମିଛାପାଲିର ଅଶୋକ ନାଏକଙ୍କ ଘରକୁ ଯାଇ ତାଙ୍କ ପୁଅ ଆଲୋକ ସନ୍ଦେହଜନକ ଅବସ୍ଥାରେ ଖଲିଆପାଲି-ମିଛାପାଲି ଛକ ନିକଟରେ ପଡିଥିବା ଜଣାଇଥିଲେ । ସମ୍ପୃକ୍ତା ଯୁବତୀଙ୍କଠାରୁ ଏହା ଶୁଣିବା ପରେ ପରିବାର ଲୋକେ ଚେତାଶୂନ ଅବସ୍ଥାରେ ପଡିଥିବା ଆଲୋକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ତରଭା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଆଲୋକଙ୍କୁ ମୃତ ଘୋଷଣା କରିଥିଲେ । କିଭଳି ଭାବେ ଆଲୋକଙ୍କ ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ଏହି ଘଟଣାକୁ ନେଇ ମିଛାପାଲିରେ ଉତ୍ତେଜନା ଦେଖାଯାଇଥିଲା। ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ପଛରେ ପ୍ରେମଜନିତ ହତ୍ୟାକାଣ୍ଡ କାରଣ ବୋଲି ପ୍ରଚାର ହେବା ପରେ ଉତ୍ତ୍ୟକ୍ତ ଲୋକେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ। ହତ୍ୟାକାରୀଙ୍କ ଗିରଫ ଦାବିରେ ସେମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ। ପୁଇଁତଲା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଆଲୋକଙ୍କ ମୃତ୍ୟୁର ଉଚିତ୍ ତଦନ୍ତ କରାଯିବା ସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହାର ଖୁଲାସା କରିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ରାସ୍ତାରୋକୋରୁ ହଟିଥିଲେ । ଏହାପରେ ପୁଇଁତଲା ପୋଲିସ ଖଲିଆପାଲି ଗ୍ରାମର ଜଣେ ଯୁବତୀଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି । ସମ୍ପୃକ୍ତ ଯୁବତୀଙ୍କ ସହ ମୃତ ଆଲୋକଙ୍କ ଦୀର୍ଘଦିନରୁ ପ୍ରେମସମ୍ପର୍କ ରହିଥିଲା ଓ ଘଟଣାଦିନ ରାତିରେ ଉଭୟେ ଖଲିଆପାଲି-ମିଛାପାଲି ଛକ ନିକଟରେ କଥାବାର୍ତ୍ତା ହେଉଥିବା କେତେକ ଲୋକ ଦେଖିଥିବା ଆଲୋଚନା ହେଉଛି । ଏହାପରେ କିପରି ଆଲୋକଙ୍କ ମୃତ୍ୟୁ ଘଟିଲା ଓ ଯୁବତୀ ଜଣକ କିଭଳି ଭାବେ ଆଲୋକଙ୍କ ଗଁ। ମିଛାପାଲି ଯାଇ ତାଙ୍କ ପରିବାର ଲୋକଙ୍କୁ ଡାକିଲେ ତାହା ସ୍ପଷ୍ଟ ହୋଇନାହିଁ । ମୃତ ଆଲୋକଙ୍କ ପିତା ଅଶୋକ ନାଏକ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ କରିଛନ୍ତି । ପୁଇଁତଲା ପୋଲିସ ଘଟଣାକୁ ନେଇ ଏକ ମାମଲା (ନଂ.୯/୨୦) ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି ।


