ଯୁବକଙ୍କ ମୁଣ୍ଡ କାଟି ହତ୍ୟା ଘଟଣା: ପରକୀୟା ପ୍ରୀତିରୁ ସ୍ତ୍ରୀ ଦ୍ୱାରା ଡାକି ହତ୍ୟା

ସୋରଡା,୨ା୮(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସୋରଡା ବ୍ଲକ ବଡ଼ଗଡ଼ ଥାନା ଏକଲପୁର ଗ୍ରାମ ନିକଟ କେଶବ ତୋଟା ପାଖ ବିଲମାଳରୁ ବୋରସିଂର ନୀଳାଞ୍ଚଳ ପ୍ରଧାନ (୨୩)ଙ୍କ ମୃତଦେହ ଗୁରୁବାର ପୋଲିସ ଉଦ୍ଧାର କରିଥିଲା। ମୃତଦେହର ଗଣ୍ଡି ଧାନ ବିଲରୁ ଓ ୫୦ ଫୁଟ ଦୂର ବୁଦା ମୂଳରୁ ମୁଣ୍ଡ ମିଳିଥିଲା। ନୀଳାଞ୍ଚଳ ଦାଦା ଭାସ୍କରଙ୍କ ଏତଲାକ୍ରମେ ହତ୍ୟା ମାମଲା (ନଂ.୨୧୦/୨୦) ରୁଜୁ କରି ପୋଲିସ ତଦନ୍ତ ଚଳାଇଥିଲା। ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସ୍ପଷ୍ଟ କରିବା ସହ ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଏକଲପୁର ଗ୍ରାମର ମୁଖ୍ୟ ଅଭିଯୁକ୍ତ ଶିବ ଗୌଡ, ତାଙ୍କ ସ୍ତ୍ରୀ ଆରତି ଗୌଡ ଓ ଶିବଙ୍କ ଭିଣୋଇ ଅରଖଡିହ ଗ୍ରାମର ଶିବ ଗୌଡ ବୋଲି ବଡ଼ଗଡ଼ ଥାନା ପରିସରରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ୨ ବର୍ଷ ତଳେ ଶିବ ବୋରସିଂର ଆରତୀଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ନୀଳାଞ୍ଚଳଙ୍କ ସହ ଆରତୀଙ୍କର ସମ୍ପର୍କ ଥିଲା। ଏକଥା ଶିବ ଜାଣିବା ପରେ ବହୁବାର ସ୍ତ୍ରୀଙ୍କୁ ଏଥିରୁ ନିବୃତ ରହିବାକୁ କହୁଥିଲେ, ମାତ୍ର ସେ ମାନୁ ନ ଥିଲେ। ଗତ ମାସ ୨୯ ତାରିଖରେ ଏହାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ନୀଳାଞ୍ଚଳଙ୍କୁ ଫୋନ୍‌ କରି ଡାକିବାକୁ ଶିବ ଆରତୀଙ୍କୁ ବାଧ୍ୟ କରିଥିଲେ। ସେ ଫୋନ୍‌ କରି ଡାକିବାରୁ ୨୯ ତାରିଖ (ବୁଧବାର) ରାତିରେ ନୀଳାଞ୍ଚଳ ବାଇକ ଯୋଗେ ଏକଲପୁର ଯାଇଥିଲା। ଗଁା ପୂର୍ବରୁ କେଶବ ତୋଟା ନିକଟରେ ଶିବ, ସ୍ତ୍ରୀ ଆରତି ଓ ଭିଣୋଇ ଅରଖଡିହର ଶିବ ଜଗି ରହିଥିଲେ। ନୀଳାଞ୍ଚଳ ସେଠାରେ ପହଞ୍ଚତ୍ବା ପରେ ଶିବ ଏକ କାତିରେ ତାଙ୍କ ବେକକୁ ଚୋଟ ପକାଇଥିଲେ। ମୁଣ୍ଡକୁ ଶରୀରରୁ ଅଲଗା କରି ବୁଦା ମୂଳକୁ ଫିଙ୍ଗି ଦେବା ସହ ଗଣ୍ଡିକୁ ଧାନ ବିଲରେ ପକାଇ ଦେଇଥିଲେ। ପରେ ୩ ଜଣ ଯାକ ଗ୍ରାମ ନିକଟ ଜଙ୍ଗଲରେ ଯାଇ ଲୁଚିଥିଲେ। ମୃତଦେହ ଉଦ୍ଧାର ପରେ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ଥାନା ଅଧିକାରୀ ପ୍ରତାପ କୁମାର ତ୍ରିପାଠୀ, ଏସ୍‌ଆଇ ଦେବଦତ୍ତ ପ୍ରିୟଦର୍ଶୀଙ୍କୁ ନେଇ ଗଠିତ ଟିମ୍‌ ତଲାସି ଆରମ୍ଭ କରିଥିଲେ। ସୂଚନା ପାଇ ଶନିବାର ରାତିରେ ନିକଟସ୍ଥ ଜଙ୍ଗଲରେ ଚଢାଉ କରି ୩ ଅଭିଯୁକ୍ତଙ୍କୁ ଧରିଥିଲେ। ମୁଖ୍ୟ ଅଭିଯୁକ୍ତ ଶିବ ସ୍ତ୍ରୀଙ୍କ ଦ୍ୱାରା ଫୋନ୍‌ କରି ଡାକି ନୀଳାଞ୍ଚଳଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲା। ଘଟଣାରେ ବ୍ୟବହୃତ କାତି ଜବତ ହୋଇଛି।