ଯୁବକଙ୍କ ମାନବିକତା: ପାଇଥିବା ମଙ୍ଗଳସୂତ୍ର ଫେରାଇ ସମ୍ବର୍ଦ୍ଧିତ

ବସ୍ତା,୧୯।୨(ଡି.ଏନ.ଏ.)- ରୂପ୍‌ସା ଷ୍ଟାର କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ମହୋତ୍ସବ ୨୦୨୦ର ଦ୍ୱିତୀୟ ସନ୍ଧ୍ୟାରେ ଯାତ୍ରା ପଡ଼ିଆରୁ ରୂପ୍‌ସା ଥାନା ଅନ୍ତର୍ଗତ ବରହମପୁର ଗ୍ରାମର ନରେନ୍ଦ୍ର ପାତ୍ରଙ୍କ ପୁଅ ଆଲୋକ ୧୮ଗ୍ରାମ ଓଜନର ଏକ ସୁନା ମଙ୍ଗଳସୂତ୍ର ପାଇଥିଲେ। ଏ ନେଇ ସେ ମହୋତ୍ସବ କମିଟିକୁ ଜଣାଇବା ପରେ ପେଣ୍ଡାଲରେ ସୂଚନା ଦିଆଯାଇଥିଲା। ତେବେ ଦୁଇଦିନ ପରେ ଖବର ପାଇ ବୈଶିଙ୍ଗା ଥାନା ନଖରା ଗ୍ରାମର ଦିଲ୍ଲୀପ ବେହେରା ଓ ତାଙ୍କ ସ୍ତ୍ରୀ ମୀନତି ବେହେରା ସେହି ଜିନିଷର ଦାବିଦାର ବୋଲି କହିଥିଲେ। ଏ ନେଇ ମୀନତି ବେହେରା ତାଙ୍କ ସୁନା ମଙ୍ଗଳସୂତ୍ରର ରସିଦ ଦେଖାଇବା ସହ ଆବଶ୍ୟକ ପ୍ରମାଣ ପତ୍ର ଦେଇଥିଲେ। ମହୋତ୍ସବର ଉଦ୍‌ଯାପନୀ ଉତ୍ସବରେ ପେଣ୍ଡାଲରେ ଆଲୋକ ଉକ୍ତ ମହିଳାଙ୍କୁ ସେ ପାଇଥିବା ମଙ୍ଗଳସୂତ୍ରକୁ ହସ୍ତାନ୍ତର କରିଥିଲେ। ତାଙ୍କର ଏହି ସାଧୁବାଦ ପାଇଁ ମହୋତ୍ସବ କମିଟି ପକ୍ଷରୁ ସାଧୁତା ପାଇଁ ପ୍ରସଂଶା ମାନପତ୍ର ଦେଇ ମୁଖ୍ୟଅତିଥି ରଘୁନାଥ ମହାନ୍ତି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏ ନେଇ ତାଙ୍କୁ ସାଧାରଣରେ ପ୍ରସଂଶା କରାଯାଇଥିଲା।