ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଣିହାଁ,୧୯।୯(ଡି.ଏନ.ଏ.)- କଣିହାଁ ଥାନା ପୋଲିସ ଗୁରୁବାର ଡେରେଙ୍ଗ ଗ୍ରାମର ଜଣେ ବିବାହିତ ଯୁବକଙ୍କ ଅର୍ଦ୍ଧ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ଆଇଆଇସି ପ୍ରଭାତ କୁମାର ତ୍ରିପାଠୀ କହିଛନ୍ତି, ଡେରେଙ୍ଗ ଗ୍ରାମର ଯୁବକ ତପନ ସାହୁ ୪ ବର୍ଷ ପୂର୍ବେ ପରଜଙ୍ଗ ଥାନା ଅଞ୍ଚଳରେ ବିହାହ କରିଥିଲେ। ଦାମ୍ପତ୍ୟ କଳହକୁ ନେଇ ତାଙ୍କ ସ୍ତ୍ରୀ ୨ ବର୍ଷ ହେବ ବାପ ଘରେ ରହୁଛନ୍ତି। ତପନ ଘର ପାଖରେ ଏକ ଦୋକାନ କରି ଚଳୁଥିଲେ। ବୁଧବାର ରାତିରେ ସାଙ୍ଗଙ୍କ ସହ ଭୋଜି ପରେ ଘରକୁ ଆସି କବାଟ ବନ୍ଦ କରି ଫ୍ୟାନରେ ଶାଢିବାନ୍ଧି ଆତ୍ମହତ୍ୟା କରିଥିଲେ। ଗୁରୁବାର କବାଟ ଭଙ୍ଗାଯାଇ ତାଙ୍କ ଅର୍ଦ୍ଧ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଏ ନେଇ ନଂ. ୭/୧୯ରେ ଏକ ମାମଲା ରୁଜୁ କରାଯାଇ ତାଳଚେର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।