ଯୁବକଙ୍କ ଗଳିତ ମୃତଦେହ ଜବତ ଘଟଣା: ଅପମୃତ୍ୟୁ ହେଲା ହତ୍ୟା ମାମଲା

ବ୍ରହ୍ମପୁର ଅଫିସ,୩ା୨-ଗୋସାଣୀନୂଆଗାଁ ଥାନାରେ ରୁଜୁ ହୋଇଥିବା ଏକ ଅପମୃତ୍ୟୁ ମାମଲା ଏବେ ହତ୍ୟା ମାମଲାରେ ରୂପାନ୍ତରିତ ହୋଇଛି। ପୋଲିସ ନଂ.୧/୨୦ରେ ମାମଲା ରୁଜୁକରି ଘଟଣାର ଅନୁସନ୍ଧାନ ଚଳାଇଛି। ହେଲେ ଇତିମଧ୍ୟରେ ୨ ମାସ ବିତିଗଲାଣି। ଗୋଟିଏ ପଟେ ମୃତ ଯୁବକଙ୍କ ପରିଚୟ ମିଳି ନ ଥିବା ବେଳେ ପୋଲିସକୁ ଏବେ ସୁଦ୍ଧା କୌଣସି ସୁରାକ ମିଳିପାରିନାହିଁ। ଘଟଣାର ମାସକ ପରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ଏହା ଏକ ହତ୍ୟା ମାମଲା ବୋଲି ଦର୍ଶାଯାଇଥିଲା। ତାହାକୁ ଆଧାର କରି ପୋଲିସ ହତ୍ୟାକାରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତି କରିଛି। ଘଟଣା ଦିନ ପୋଲିସର ହସ୍ତଗତ ହୋଇଥିବା କେତେକ ତଥ୍ୟକୁ ଆଧାର କରି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିିତ କରାଯାଉଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ କେଉଁଠୁ ଆସିଥିଲେ ଏବଂ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ସେ ନେଇ ପୋଲିସ ଏବେ ତନାଘନା ଚଳାଇଛି। ଘଟଣାରୁ ପ୍ରକାଶ ଗଞ୍ଜାମ ଜିଲା ବ୍ରହ୍ମପୁର ଖଜୁରିଆ ଜାତୀୟ ରାଜପଥ କଡରେ ଥିବା ଏକ ବୁଦାମୁଳରୁ ଗୋସାଣୀନୂଆଗଁା ପୋଲିସ ଗତ ଡିସେମ୍ବର ୪ ତାରିଖରେ ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ କରିଥିଲା। ଯୁବକଙ୍କ ପରିଚୟ ମିଳି ନ ଥିବା ବେଳେ ତାଙ୍କ ବୟସ ଆନୁମାନିକ (୩୫) ହେବ ବୋଲି ପୋଲିସ କହିଥିଲା। ମୃତଦେହ ଜବତ କରି ନଂ.୧୮/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁୁ କରିଥିଲା। ମୃତଦେହ ପଞ୍ଚନାମା ବେଳେ ଯୁବକଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ରହିଥିବା ପୋଲିସ ଦେଖିବାକୁ ପାଇଥିଲା। ଏଣୁ ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ସନ୍ଦେହ କରୁଥିଲା। ଯୁବକଙ୍କୁ ଅନ୍ୟ କେଉଁଠାରେ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଜାତୀୟ ରାଜପଥ ଖଜୁରିଆ ବାଇପାସ୍‌ ନିକଟ ବିଲରେ ଫୋପାଡିି ଦେଇଥିଲେ ବୋଲି ପୋଲିସ ସେହି ସମୟରେ ସନ୍ଦେହ କରିଥିଲା।