Categories: ଗଞ୍ଜାମ

ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭଞ୍ଜନଗର,୨୧।୧(ଡି.ଏନ.ଏ)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଢୋଲପିଟା ନିକଟରେ ଆଖି ଓ ହାତବନ୍ଧା ଅବସ୍ଥାରେ ଜଣେ ଅଚିହ୍ନା ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଅପରାହ୍ନ ପ୍ରାୟ ୫ଟାରେ କିଛି ଲୋକ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚିବା ବେଳକୁ ସନ୍ଧ୍ୟା ହୋଇ ଯାଇଥିବାରୁ ମୃତଦେହ ଉଠାଯାଇପାରି ନ ଥିଲା। ମଙ୍ଗଳବାର ସାଇଣ୍ଟିଫିକ୍‌ ଟିମ୍‌ ଆସି ତଦନ୍ତ କରିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ।
ଯୁବକଙ୍କୁ ହତ୍ୟା କରିିବା ପରେ ଅଭିଯୁକ୍ତମାନେ କୌଣସି ଗାଡ଼ିରେ ଆଣି ଢୋଲପିଟା ନିକଟ କଲଭର୍ଟ ପାଖରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ରାସ୍ତାରେ ରକ୍ତ ଛିଟା ପଡ଼ିଥିବାରୁ ଗାଡ଼ିରୁ ମୃତଦେହକୁ ଘୋଷାଡ଼ି ପକାଇ ଦିଆଯାଇଥିବା ପୋଲିସ ଅନୁମାନ କରୁଛି। ରିପୋର୍ଟ ଲେଖାଯିବା ସୁଦ୍ଧା ମୃତକଙ୍କ ପରିଚୟ ମିଳି ନ ଥିବା ତାରସିଂ ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ କହିଛନ୍ତି।