ଯୁବକଙ୍କୁ ହତ୍ୟା ଘଟଣାରେ ୨ ଗିରଫ

ରାଇରଙ୍ଗପୁର,୧୫ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ବଡ଼ମଣଦା ଗ୍ରାମର ଟୀକାଚରଣ ନାଏକ(୨୦)ଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ପୋଲିସ ୨ ଯୁବକଙ୍କୁ ସୋମବାର ସନ୍ଧ୍ୟାରେ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତ ହେଲେ ସେହି ଗ୍ରାମର ସମୀର ନାୟକ(୨୪) ଓ ସହଯୋଗୀ ବିକାଶ ସେଠୀ(୨୫)। ଗୁଣିଗାରେଡି ସନ୍ଦେହରେ ଅଭିଯୁକ୍ତ ସମୀର ଏକ ଧାରୁଆ କଟୁରୀ ସାହାଯ୍ୟରେ ହତ୍ୟା କରିଥିବା ଓ ବିକାଶ ତାଙ୍କୁ ସହଯୋଗ କରିଥିବା ପୋଲିସ ନିକଟରେ ସ୍ବୀକାର କରିଛି। ପୋଲିସ ହତ୍ୟାରେ ବ୍ୟବହୃତ କଟୁରୀ ଜବତ କରି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଉଲ୍ଲେଖଯୋଗ୍ୟ ଯେ, ଶନିବାର ରାତି ପ୍ରାୟ ୯ଟାରେ ସମୀର ଓ ବିକାଶ ଟୀକାଚରଣଙ୍କ ସହ ଗ୍ରାମପାର୍ଶ୍ୱ ହାଟପଡ଼ିଆ ନିକଟରେ ଏକ ମଦ ଦୋକାନରୁ ମଦ ପିଇଥିଲେ। ପରେ ସେମାନେ ଆସି ଟୀକାଚରଣଙ୍କୁ ଘର ସମ୍ମୁଖକୁ ଆସି ଏକ ଧାରୁଆ କଟୁରୀରେ ତାଙ୍କ ବେକକୁ ହାଣି ହତ୍ୟା କରିଥିଲେ।