ଯୁବକଙ୍କୁ ହତ୍ୟା ଅଭିଯୋଗ; ବଡ଼ବାପାଙ୍କ ସମେତ ୩ ଗିରଫ

ଆସିକା,୨୬ା୮(ଡି.ଏନ୍‌.ଏ.)-ଆସିକା ଥାନା ବଜ୍ରକୋଟ ଗ୍ରାମର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେ ହେଲେ ଟୁକୁନା ନାହାକ (୩୦)। ଏନେଇ ମୃତ ଟୁକୁନାଙ୍କ ବାପା ଆସିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ନଂ.୨୭୩/୧୯ରେ ମାମଲା ରୁଜୁକରି ଗ୍ରାମର ଅର୍ଶୁଲୁ ନାହାକ, ତାଙ୍କ ସ୍ତ୍ରୀ ଦଇନୀ ଓ ପୁଅ ଦୀପକଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଅର୍ଶୁଲୁ ମୃତ ଟୁକୁନାଙ୍କ ବଡବାପା। ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଲୁହାରଡ୍‌ ପୋଲିସ ଜବତ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଅର୍ଶୁଲୁଙ୍କ ଏକ ସାଇକେଲ କିଛିଦିନ ତଳେ ଚୋରି ଯାଇଥିଲା। ଏନେଇ ସେ ଟୁକୁନାଙ୍କୁ ସନ୍ଦେହ କରୁଥିଲେ। ଫଳରେ ଉଭୟ ପରିବାର ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥିଲା। ଗତ ଶୁକ୍ରବାର ସନ୍ଧ୍ୟାରେ ଅର୍ଶୁଲୁ, ଦଇନୀ ଓ ଦୀପକ ଟୁକୁନାଙ୍କୁ ମାରଧର କରିଥିଲେ। ଆକ୍ରମଣରେ ଟୁକୁନା ଆହତ ହୋଇଥିଲେ ମଧ୍ୟ ଚିକିତ୍ସା କରିନଥିଲେ। ଶନିବାର ବିଳମ୍ବିତ ରାତିରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ରବିବାର ଭୋର ପ୍ରାୟ ସାଢେ ୪ଟାରେ ଆସିକା ସରକାରୀ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଦେହ ଆସିକା ମେଡିକାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ସାହୁ ସୂଚନା ଦେଇଛନ୍ତି।