ଯୁବକଙ୍କୁ ଗଳାକାଟି ହତ୍ୟା: ପୂର୍ବଶତ୍ରୁତା ସନ୍ଦେହ

ବ୍ରହ୍ମପୁର ଅଫିସ,୧୭।୬: ସଦର ଥାନା ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତ ବୁରୁଡ଼ା ଗ୍ରାମ ନିକଟ ଏକ କେନାଲରୁ ସୋମବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ପଦ୍ମନାଭ ମଲ୍ଲିକଙ୍କ ପୁଅ ପ୍ରକାଶ। ତାଙ୍କ ଘର ଦିଗପହଣ୍ଡି ଥାନା ବୁରୁଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ସୋମବାର ସକାଳେ ବୁରୁଡ଼ା ଗାଁ କେନାଲରେ ମୃତଦେହ ପଡ଼ିଥିବା କେତେଜଣ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରବିବାର ରାତିରେ ଅଭିଯୁକ୍ତମାନେ ପ୍ରକାଶଙ୍କୁ ତାଙ୍କ ଘରୁ ଡାକିନେଇଥିବା ବେଳେ ସଦର ଥାନା ଅନ୍ତର୍ଗତ ବାଉଁଶିଆପଲ୍ଲୀ ଗାଁ ଛକ ସ୍କୁଲ ନିକଟରେ ଗଳା କାଟି ହତ୍ୟାକରିଥିଲେ। ପରେ ମୃତଦେହକୁ ଘଟଣାସ୍ଥଳରୁ ଅଧା କିଲୋମିଟର ଦୂରରେ ଥିବା ଏକ କେନାଲ ନିକଟରେ ଫୋପାଡ଼ି ଦେଇଥିବା ସଦର ଏସ୍‌ଡିପିଓ ଜୟନ୍ତ ମହାପାତ୍ର କହିଛନ୍ତି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସଦର ଏସ୍‌ଡିପିଓ ମହାପାତ୍ର, ଥାନାଧିକାରୀ ଭାବନାନନ୍ଦ ପ୍ରଧାନ ଓ ଅନ୍ୟ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୋଲିସ କହିଛି। ପୂର୍ବ ଶତ୍ରୁତାରୁ କେନ୍ଦ୍ରକରି ଏହି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ପଦ୍ମନାଭଙ୍କ ଅଭିଯୋଗକ୍ରମେ ପୋଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିବା ଥାନାଧିକାରୀ ପ୍ରଧାନ କହିଛନ୍ତି।