ଓ୍ବାଶିଂଟନ,୬ା୪(ପି.ଟି.): ଇରାନ ବିରୋଧରେ ଯୁଦ୍ଧ ଆମେରିକୀୟମାନଙ୍କ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ଆମାଜନ ଏହାର ଇ-କମର୍ସ ଡେଲିଭରି ପାଇଁ ଇନ୍ଧନ ଶୁଳ୍କ ଘୋଷଣା କରିଥିବାବେଳେ କେତେକ ଏୟାରଲାଇନ୍ସ ଚେକ୍ ଇନ୍ ବ୍ୟାଗେଜ୍ ଦେୟ ବଢ଼ାଇଛନ୍ତି। ଆମେରିକାରେ ଶୁକ୍ରବାର ପେଟ୍ରୋଲର ହାରାହାରି ମୂଲ୍ୟ ଗ୍ୟାଲୋନ୍ ପ୍ରତି ୪.୦୯ ଡଲାରକୁ ବୃଦ୍ଧି ପାଇଛି। ଯୁଦ୍ଧ ପୂର୍ବରୁ ଥିବା ମୂଲ୍ୟ ତୁଳନାରେ ୧ ଡଲାର ବଢ଼ିଛି। ୨୦୨୨ ଅଗଷ୍ଟ ପରେ ଏହା ସର୍ବାଧିକ ମୂଲ୍ୟ ବୃଦ୍ଧି। ସେହିପରି ଡିଜେଲ ମୂଲ୍ୟ ମଧ୍ୟ ୩.୬୪ ଡଲାରରୁ ୫.୫୩ ଡଲାରକୁ ବୃଦ୍ଧି ପାଇଛି। ଆମେରିକାରେ ଡିଜେଲକୁ ବିଶେଷତଃ କୃଷି, ନିର୍ମାଣ, ପରିବହନ ଓ ଅନ୍ୟାନ୍ୟ କଳକାରଖାନା କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ଇ-କମର୍ସ ସଂସ୍ଥା ଆମାଜନ ଆସନ୍ତା ୧୭ରୁ ଥାର୍ଡ ପାର୍ଟି ସେଲରଙ୍କ ଉପରେ ୩.୫ ପ୍ରତିଶତ ଇନ୍ଧନ ଶୁଳ୍କ ଲଗାଇବାକୁ ଯୋଜନା କରିଛି। ଆମେରିକା ଡାକସେବା ମଧ୍ୟ ପ୍ୟାକେଜ୍ ଏବଂ ଏକ୍ସପ୍ରେସ୍ ମେଲ୍ ଡେଲିଭରି ପାଇଁ ଅସ୍ଥାୟୀ ଭାବେ ୮ ପ୍ରତିଶତ ଇନ୍ଧନ ଶୁଳ୍କ ଲଗାଇବ ବୋଲି କହିଛି। ଇରାନ ବିରୋଧରେ ଯୁଦ୍ଧ ଯଦି ଅଧିକ ଦିନ ଲାଗିରହେ, ତେବେ ଆମେରିକାରେ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବ। ଏହାକୁ ନେଇ ବିଶେଷଜ୍ଞମାନେ ଅତ୍ୟନ୍ତ ଚିନ୍ତିତ ହୋଇପଡ଼ିଛନ୍ତି। ପରିବହନ ଖର୍ଚ୍ଚ ବଢ଼ିଲେ ସବୁ ଜିନିଷର ଦାମ୍ ବଢ଼ିଯିବ ବୋଲି ଫେଡେରାଲ ରିଜର୍ଭ ବ୍ୟାଙ୍କ, ସିକାଗୋ ଅଧ୍ୟକ୍ଷ ଅଷ୍ଟାନ୍ ଗୁଲ୍ସ୍ବି କହିଛନ୍ତି।

