ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ

ଭୁବନେଶ୍ୱର, ୬।୮(ବ୍ୟୁରୋ): ରାଜ୍ୟର ୧୦୪୭ ଡିଗ୍ରୀ କଲେଜରେ ଯୁକ୍ତ୩ ପ୍ରଥମ ବର୍ଷ ନାମଲେଖା ନିମନ୍ତେ ସୋମବାର ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ବା ମେରିଟ୍‌ ଲିଷ୍ଟ୍‌ ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ମୋଟ ୨୨ହଜାର ୨୦୭ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। ଏଥିରେ କଳା ବିଭାଗରେ ୧୨ହଜାର ୫୪୫ଜଣ, ବାଣିଜ୍ୟରେ ୧ହଜାର ୪୧୨ଜଣ, ଫିଜିକାଲ ସାଇନ୍ସରେ ୪ହଜାର ୧୫୨ଜଣ, ବାୟୋଲୋଜିକାଲ ସାଇନ୍ସରେ ୩ହଜାର ୫୭୭ଜଣ, ସେଲ୍ଫ ଫାଇନାସିଂରେ ୪୪୪ ଓ ଶାସ୍ତ୍ରୀ ବିଭାଗରେ ୭୭ଜଣ ଛାତ୍ରୀଛାତ୍ର ରହିଛନ୍ତି।
କଳା ବିଭାଗର ଇଂଲିଶ ବିଷୟରେ ସର୍ବାଧିକ କଟ୍‌ଅଫ୍‌ ମାର୍କ ବିଜେବି କଲେଜର ୭୮.୧୭% ରହିଥିବାବେଳେ ଓଡ଼ିଆରେ ବଲାଙ୍ଗୀର ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ ୭୭.୩୩%, ରାଜନୀତି ବିଜ୍ଞାନରେ ବିଜେବି କଲେଜ ୭୬.୮୩%, ଅର୍ଥନୀତିରେ ବିଜେବି କଲେଜ ୭୬.୬%, ଏଜୁକେଶନରେ ବିଜେବି କଲେଜ ୭୫.୬୭%, ସୋସିଓଲୋଜିରେ ବିଜେବି କଲେଜ ୭୫.୩୩%, ସାଇକୋଲୋଜିରେ ବିଜେବି କଲେଜର ୭୨.୩୩% କଟ୍‌ ଅଫ୍‌ ଯାଇଛି। ଫିଜିକାଲ ସାଇନ୍ସର ଗଣିତରେ ବିଜେବି କଲେଜ ୯୧.୨%, ପଦାର୍ଥ ବିଜ୍ଞାନରେ ବିଜେବି କଲେଜ ୮୭.୬୭% ଓ ରସାୟନ ବିଜ୍ଞାନରେ ବିଜେବି କଲେଜର କଟ୍‌ ଅଫ୍‌ ମାର୍କ ୮୫.୬% ରହିଛି। ସେହିପରି ବାୟୋଲୋଜିକାଲ ସାଇନ୍ସର ଜୀବ ବିଜ୍ଞାନରେ ବିଜେବି କଲେଜ ୮୬.୫%, ଉଦ୍ଭିଦ ବିଜ୍ଞାନରେ ବିଜେବି କଲେଜ ୮୩.୨% ଏବଂ ବାଣିଜ୍ୟରେ ସାଇ ଇଣ୍ଟରନ୍ୟାଶନାଲ କଲେଜ ଅଫ୍‌ କମର୍ସ ଆଣ୍ଡ୍‌ ଇକୋନୋମିକ୍ସ ୮୩.୧୭% କଟ୍‌ ଅଫ୍‌ ମାର୍କ ସହ ଆଗରେ ରହିଛି।
ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ଛାତ୍ରୀଛାତ୍ରମାନେ ୬ ରୁ ୧୦ ତାରିଖ ଅପରାହ୍ନ ୫ଟା ମଧ୍ୟରେ ଅନ୍‌ଲାଇନ୍‌ରେ ନାମ ଲେଖାଇପାରିବେ। ୬ରୁ ୧୧ତାରିଖ ମଧ୍ୟରେ ଛାତ୍ରୀଛାତ୍ରମାନେ ଅନ୍‌ଲାଇନରେ ଆନେକ୍ସର-୭ ଦାଖଲ କରିବେ। ୧୨ତାରିଖ ଦିନ ଅପରାହ୍ନ ୫ଟାରେ ଦ୍ୱିତୀୟ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କ ତାଲିକା ପ୍ରକାଶ ପାଇବ। ୧୪ ତାରିଖ ପୂର୍ବାହ୍ନ ୧ ଟାରେ ସ୍ପଟ୍‌ ନାମଲେଖା ପାଇଁ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ସ୍ପଟ୍‌ ନାମ ଲେଖା ପାଇଁ ମନୋନୀତ ଛାତ୍ରୀଛାତ୍ରମାନେ ୧୬ରୁ ୧୭ତାରିଖ ଅପରାହ୍ନ ୫ଟା ମଧ୍ୟରେ କଲେଜରେ ନାମ ପଞ୍ଜିକୃତ କରିବେ। ୧୯ରୁ ୨୧ତାରିଖ ମଧ୍ୟରେ ଫି’ ଦାଖଲ କରିବେ। ୨୩ ତାରିଖ ଅପରାହ୍ନ ୫ଟାରେ ସ୍ପଟ୍‌ ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କ ତାଲିକା ପ୍ରକାଶ ପାଇବ। ୨୪ରେ ଯୁକ୍ତ୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ।