ଯାଜପୁର ବ୍ରହ୍ମବରଦାରେ ଏପ୍ରିଲ ୧୨ ରାତି ୮ଟା ଯାଏ ବଢ଼ିଲା କଣ୍ଟେନ୍‌ମେଣ୍ଟ ଅବଧି

ଯାଜପୁର,୮।୪(ଡି.ଏନ୍‌.ଏ.): ଯାଜପୁର ଜିଲା ବ୍ରହ୍ମବରଦାରେ କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରାଯାଇଛି। ଏପ୍ରିଲ ୧୨ ରାତି ୮ଟା ଯାଏ କଣ୍ଟେନ୍‌ମେଣ୍ଟ ଅବଧିକୁ ଜିଲା ପ୍ରଶାସନ ବଢ଼ାଇଛି। ବ୍ରହ୍ମବରଦା ଅଞ୍ଚଳରେ ଜଣେ ନିଜାମୁଦ୍ଦିନ ଫେରନ୍ତା କରୋନାରେ ଆକ୍ରାନ୍ତ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ବୁଧବାର ଏହି ଅବଧି ଶେଷ ହୋଇଥାନ୍ତା। ମାତ୍ର ଆସନ୍ତା ୧୨ ତାରିଖ ରାତି ୮ଟା ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରାଯାଇଛି । ସମସ୍ତ ଅଞ୍ଚଳରେ ସର୍‌ଭେଲାନ୍ସ କାର୍ଯ୍ୟ ସରି ନ ଥିବାରୁ ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ତେବେ ଲୋକମାନଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ପହଞ୍ଚାଇ ଦିଆଯାଉଛି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଯାଜପୁର ଜିଲାର ପ୍ରଥମ କରୋନା ଆକ୍ରାନ୍ତ ବ୍ୟକ୍ତି ବ୍ରହ୍ମବରଦାରୁ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଥିଲା। ବ୍ରହ୍ମବରଦା ସମେତ ବନ୍ଧଡିହ, ଲଙ୍କାବାଲିସାହି, ବଡ଼ରାଏପଡା, ଖଣ୍ଡାସ, ବାଲିଗୁଡା, ମହେଶ୍ୱରପୁର, ଚାନ୍ଦପୁର, କୋଠିଡିହ, ବାଙ୍କସାହି, ସାହାପଡା, ଦେଉଳି (ଆଂଶିକ) ଅଂଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭିତରେ ରହିଥିଲା।