ଯାଜପୁର ଜିଲାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ : ବ୍ରହ୍ମବରଦା ଅଞ୍ଚଳ ସିଲ

ଯାଜପୁର ଅଫିସ/ରସୁଲପୁର,୪।୪(ଡି.ଏନ.ଏ.)-ଯାଜପୁର ଜିଲା ବ୍ରହ୍ମବରଦାରେ ଶୁକ୍ରବାର ରାତିରେ ଜଣେ କରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାପରେ ବ୍ରହ୍ମବରଦା ଅଞ୍ଚଳକୁ ସିଲ କରି ଦିଆଯାଇଛି ବୋଲି ଜିଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ଶନିବାର ପୂର୍ବାହ୍ନରେ ଜିଲା ପ୍ରଶାସନର ଏକ ଉଚ୍ଚସ୍ତରୀୟ ବୈଠକ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ବୈଠକରେ ନିଷ୍ପତ୍ତି ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ତେବେ କରୋନା ସଂକ୍ରମିତ ଜଣକ ନୂଆଦିଲ୍ଲୀ ନିଜାମୁଦ୍ଦିନରେ ହୋଇଥିବା ତବଲିଘି ଜମାତ ଧର୍ମସଭାରେ ଯୋଗଦେଇ ଫେରିଥିଲେ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଜାଣିବା ପରେ ସାରା ଜିଲାରେ ଏବେ ଭୟର ଆତଙ୍କ ଖେଳିଯାଇଛି। କରୋନା ସଂକ୍ରମିତ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ ପାଇଁ ଅନୁସନ୍ଧାନ ଜାରି ରହିଛି। କରୋନା ଆକ୍ରାନ୍ତ ବ୍ୟକ୍ତି ମାର୍ଚ୍ଚ ୧୫ରେ ନୂଆଦିଲ୍ଲୀରୁ ବିମାନଯୋଗେ ରାଞ୍ଚିରେ ପହଞ୍ଚିଥିଲେ। ସେଠାରୁ ସେ ଟ୍ରେନ ଯୋଗେ କଟକରେ ପହଞ୍ଚି ଏକ ଘରୋଇ ଗାଡିରେ ବ୍ରହ୍ମବରଦାକୁ ଯାଇଥିଲେ। ସେତେବେଳେ ତାଙ୍କ ସହ ଆଉ କିଏ ଥିଲେ ତାହା ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଏବେ କରୋନା ଆକ୍ରାନ୍ତ ବ୍ୟକ୍ତି ଓ ତାଙ୍କ ପରିବାରବର୍ଗଙ୍କୁ ସଙ୍ଗରୋଧରେ ରଖାଯାଇଛି। ବୈଠକର ନିଷ୍ପତ୍ତି ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।