ଅଶ୍ବିନୀ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ଯାଜପୁର ଜିଲାର ସଂକ୍ରମିତ

ଯାଜପୁର ଟାଉନ, ୪।୪(ଡି.ଏନ. ଏ.)-ଯାଜପୁର ଜିଲା ବ୍ରହ୍ମବରଦା ଗ୍ରାମରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବ୍ରହ୍ମବରଦାର ୩ କିମି ପରିଧି ଅଞ୍ଚଳକୁ ସିଲ କରି ଦିଆଯାଇଛି। ଶନିବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଜରୁରୀକାଳୀନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାସହ କରୋନା ସଂକ୍ରମିତଙ୍କୁ କଟକର ଅଶ୍ବିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ପରିବାରବର୍ଗଙ୍କୁ ବ୍ରହ୍ମବରଦାରେ ସରକାରୀ କ୍ବାରାଣ୍ଟାଇନରେ ରଖାଯାଇଛି। ସେହିପରି ବ୍ରହ୍ମବରଦାକୁ ବିଶୋଧନ କରାଯାଇଛି। ଉକ୍ତ ଅଞ୍ଚଳରେ କେବଳ ଔଷଧ ଦୋକାନ ୨୪ ଘଣ୍ଟା ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଏହାସହିତ ରବିବାରଠାରୁ ଜିଲାରେ ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଅତି ଜରୁରୀ କାମ ନ ପଡିଲେ ଘରୁ ନ ବାହରିବାକୁ ଜିଲାପାଳ ରଞ୍ଜନ କୁମାର ଦାସ ଅନୁରୋଧ କରିଛନ୍ତି। ସରକାରୀ ନିର୍ଦ୍ଦେଶକୁ ଯିଏ ନ ମାନିବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସପି ଚରଣସିଂ ମୀନା, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଏଡିଏମ ମିହିର ପ୍ରସାଦ ମହାନ୍ତି, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ଉପସ୍ଥିତ ଥିଲେ।