ଯାଆଁଳା ହାଇସ୍କୁଲର ଷଷ୍ଠ ଶ୍ରେଣୀ ପିଲା କହିପାରିଲାନି ପଣିକିଆ, ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ୍‌କୁ ବୁଧବାର ଅଚାନକ ଗସ୍ତ କରିଛନ୍ତି। ଏହି ଅବସରରେ ସେ ପ୍ରଥମେ ଜଟଣୀ ବିଇଓ ଅଫିସରେ ପହଞ୍ଚିଥିଲେ। ସେଠାରେ ଅନୁପସ୍ଥିତ ଥିବା କାରଣରୁ ୪ଜଣଙ୍କୁ ନୋଟିସ ଜାରି କରିଥିଲେ। ଏଥିସହ ସେ ବିଇଓଙ୍କ କାର୍ଯ୍ୟରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପରେ ଯାଆଁଳା ହାଇସ୍କୁଲକୁ ଯାଇ ସେଠାରେ ଶିକ୍ଷାଦାନ ବ୍ୟବସ୍ଥା ବୁଲି ଦେଖିଥିଲେ। ଜଣେ ଷଷ୍ଠ ଶ୍ରେଣୀ ପିଲା ପଣିକିଆ କହି ନ ପାରିବାରୁ ସେ ଶ୍ରେଣୀ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦେବା ସହ ପ୍ରଧାନଶିକ୍ଷୟିତ୍ରୀ ସଂଧ୍ୟାରାଣୀ ସେଠ ମାଝିଙ୍କ ଦରମା ବନ୍ଦ କରିବାକୁ କହିଥିଲେ। ଏହାପରେ ସେ ବହଦଲପୁର ହାଇସ୍କୁଲ ଗସ୍ତ କରି ମଧ୍ୟାହ୍ନଭୋଜନର ମାନ ଯାଞ୍ଚ କରିଥିବା ସୂଚନା ମିଳିଛି।