ଯନ୍ତ୍ରଣାରେ ଛଟପଟ ସନ୍ତୋଷ

ବଇଣ୍ଡା,୧୭।୧୦(ଡି.ଏନ.ଏ.)- ସାଙ୍ଗମାନଙ୍କ ସହ ଖେଳୁଥିବାବେଳେ ପଡିଯାଇ ପେଟରେ ଆଘାତ ପାଇଥିଲେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମର ସନ୍ତୋଷ ସାହୁ (୩୦)। ଜିଲା ମୁଖ୍ୟ ଚିକିତ୍ସାଳୟ ସହ କଟକ ମେଡିକାଲରେ ଚିକିତ୍ସିତ ହେବା ପରେ ବି ସେ ସୁସ୍ଥ ହୋଇପାରିନାହାନ୍ତି। କାରଣ ଅପରେଶନ ପାଇଁ ଆବଶ୍ୟକ ଅଢ଼େଇ ଲକ୍ଷ ଟଙ୍କା ଯୋଗାଡ଼ କରିବା ତାଙ୍କ ପରି ଦିନମଜୁରିଆଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ଦିନକୁ ଦିନ ସ୍ବାସ୍ଥ୍ୟାବସ୍ଥା ବିଗୁଡୁଥିବାବେଳେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସନ୍ତୋଷ। ସରକାର କିମ୍ବା କେହି ସହୃଦୟ ବ୍ୟକ୍ତି ଚାହିଁଲେ ଭଲ ହୋଇଯିବେ ବୋଲି ସୋସିଆଲ ମିଡିଆରେ ଏକ ଭିଡିଓ ମାଧ୍ୟମରେ ସହାୟତା ଲୋଡିଛନ୍ତି ସନ୍ତୋଷ। ତାଙ୍କ ଗୁହାରି ସରକାରଙ୍କ ନିକଟରେ ପହଞ୍ଚିବ ବୋଲି ସେ ଆଶା କରିଛନ୍ତି।
ସନ୍ତୋଷଙ୍କ ବାପା ବୀରବରଙ୍କ କହିବା ମୁତାବକ, ପ୍ରାୟ ୪ ବର୍ଷ ତଳେ ସନ୍ତୋଷ ଖେଳୁଥିବାବେଳେ ତଳେ ପଡିଯାଇଥିଲେ। ତାଙ୍କ ପେଟରେ ଗଭୀର ଆଘାତ ଲାଗିଥିବାରୁ ସେଠାରେ ଘା ହେବା ସହ ମଳମୂତ୍ର ତ୍ୟାଗ କରିବାରେ କଷ୍ଟ ଅନୁଭବ କରୁଥିଲେ। ତାଙ୍କୁ ପ୍ରଥମେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ଅପରେଶନ କରି ମଳ ତ୍ୟାଗ ପାଇଁ ଏକ ବାଇପାସ୍‌ କରିଥିଲେ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ସନ୍ତୋଷ ଠିକ୍‌ ହୋଇ ନ ଥିବା ବୀରବର କହିଛନ୍ତି। ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଅପରେଶନ ଯୋଗୁ ଏପରି ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏକ ଘରୋଇ ମେଡିକାଲରେ ଦେଖାଇବା ପରେ ଆଉ ଥରେ ଅପରେଶନ କରାଗଲେ ସନ୍ତୋଷ ସୁସ୍ଥ ହୋଇଯିବେ ବୋଲି ଡାକ୍ତର କହୁଥିବା ବୀରବର କହିଛନ୍ତି। ହେଲେ ଏଥିପାଇଁ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜାଣିବା ପରେ ତାଙ୍କ ଚିନ୍ତା ବଢିଯାଇଛି। ମୂଲ ମଜୁରିରେ ସନ୍ତୋଷଙ୍କ ଔଷଧ ଖର୍ଚ୍ଚ ଉଠୁ ନ ଥିବାବେଳେ କିପରି ଅପରେଶନ କରି ପୁଅକୁ ଭଲ କରାଇବେ ସେଥିପାଇଁ ସହାୟତା ଭିକ୍ଷା କରିଛନ୍ତି ସେ। ସନ୍ତୋଷ ଓ ତାଙ୍କ ବୁଢୀ ମା’ ଏକ ଭିଡିଓ କରି ସରକାରଙ୍କ କାନରେ ଗୁହାରି ପହଞ୍ଚାଇବା ପାଇଁ ଉଦ୍ୟମ କରିଛନ୍ତି। ଖବରପାଇ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ନିର୍ଦ୍ଦେଶକ୍ରମେ ଆଠମଲ୍ଲିକ ଉପଖଣ୍ଡ ପ୍ରଶାସନ ଓ ଠାକୁରଗଡ଼ ଅଞ୍ଚଳର ଏକ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସହାୟତାର ହାତ ବଢାଯାଇଛି। ବୁଧବାର ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ ବୀରବରଙ୍କ ପରିବାର ଲୋକଙ୍କୁ ଭେଟି ରେଡକ୍ରସ ପାଣ୍ଠିରୁ ଏକ ଚେକ ମାଧ୍ୟରେ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ କିଭଳି ଅଧିକ ଚିକିତ୍ସା ଯୋଗାଇ ଦିଆଯାଇପାରିବ ସେଥିପ୍ରତି ଉଦ୍ୟମ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟ ସୁନୀଲ କୁମାର ସାହୁ ମଧ୍ୟ ପରିବାରକୁ ଭେଟିଛନ୍ତି।