ମୟୂରଭଞ୍ଜ ଜିଲା ବିଜେଡି ସମ୍ପାଦକଙ୍କୁ ନିଲମ୍ବନ ପାଇଁ ସୁପାରିଶ

ବାରିପଦା ଅଫିସ,୨୫ା୯- ମୟୂରଭଞ୍ଜ ଜିଲା ବିଜେଡିର ଜିଲା ସମ୍ପାଦକ ସୁଜିତ କୁମାର ମହାନ୍ତିଙ୍କୁ ନିଲମ୍ବନ ପାଇଁ ରାଜ୍ୟ ସଭାପତିଙ୍କ ନିକଟକୁ ମଙ୍ଗଳବାର ସୁପାରିଶ କରାଯାଇଛି। ଜିଲା ସଭାପତି ଦେବାଶିଷ ମହାନ୍ତି ଜିଲା ପର୍ଯ୍ୟବେକ୍ଷକଙ୍କ ଜରିଆରେ ଏହି ସୁପାରିଶ ହୋଇଛି। ବାରିପଦାଠାରେ ସୋମବାର ଅନୁଷ୍ଠିତ ସଭ୍ୟ ସଂଗ୍ରହ ଅଭିଯାନ କର୍ମଶାଳାରେ ସୁଜିତ ଦଳ ବିରୋଧୀ କାର୍ଯ୍ୟ କରିଥିବା ଏଥିରେ ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ସମସ୍ତ ନେତାଙ୍କୁ ସାମିଲ କରାଯାଉ ନାହିଁ ଏବଂ ପୁରୁଣା କର୍ମୀଙ୍କୁ ଅଣଦେଖା କରାଯାଉଥିବା ସୁଜିତ ବାରିପଦା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ତଥା ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ ରାଉତଙ୍କୁ ସଭାସ୍ଥଳରେ ପଚାରିଥିଲେ। ପରେ ଅନ୍ୟ କର୍ମୀମାନେ ମଧ୍ୟ ଅନୁରୂପ ଅଭିଯୋଗ କରି ହୋହଲ୍ଲା କରିଥିଲେ। ଏଥିନେଇ ବୈଠକ ଅଧାରୁ ବନ୍ଦ ହୋଇଯାଇଥିଲା। ଏହି ଘଟଣାରେ ମତ ରଖି ସୁଜିତ କହିଛନ୍ତି ଯେ, ଦଳ ଆରମ୍ଭ ବେଳୁ ସେ ଦଳରେ ଅଛନ୍ତି। ଜିଲାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ କାର୍ଯ୍ୟ କରିଛନ୍ତି। ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନାହାନ୍ତି ବରଂ ଦଳ ପାଇଁ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ମୌକା ଦିଆଯାଉ ବୋଲି କହିଥିବା ସେ ପ୍ରକାଶ କରିଛନ୍ତି ।