ମୌସୁମୀ ପୂର୍ବରୁ ଜଳବନ୍ଦୀ

ଅନୁଗୋଳ ଅଫିସ,୫ା୬ – ମୌସୁମୀ ଆସିବା ପୂର୍ବରୁ ଅନୁଗୋଳ ପୌରପରିଷଦର ୯ନଂ. ଓ୍ବାର୍ଡ ବଣିଆବାହଳ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। ବୁଧବାର କାଳବୈଶାଖୀ ବର୍ଷା ପରେ ଏପରି ଅବସ୍ଥା ସୃଷ୍ଟି ହୋଇଥିବାରୁ ଆଗାମୀ ଦିନରେ ମୌସୁମୀ ବର୍ଷା ହେଲେ ପରିସ୍ଥିତି କିପରି ହେବ ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଚାଷ ଜମିକୁ ପ୍ଲଟିଂ କରି ବିକ୍ରି କରିଦିଆଯିବା ଓ ଦଣ୍ଡାପାଟ ପାଟନାଳୀ ପୋତି ଦିଆଯିବା ଯୋଗୁ ବର୍ଷା ଜଳ ନିଷ୍କାସନ ହୋଇପାରୁ ନ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଦୁଇବର୍ଷ ହେଲା ବର୍ଷା ଋତୁରେ ଲୋକେ ଏପରି ଦୁର୍ଦ୍ଦଶା ଭୋଗୁଥିଲେ ମଧ୍ୟ ପ୍ରଶାସନ ନୀରବଦଷ୍ଟା ସାଜିଥିବା ଅଭିଯୋଗ ହେଉଛି। ତେବେ ଓ୍ବାର୍ଡର ନିୟୁ କାଳୀମନ୍ଦିରବାସୀ ଅଧିକ ପ୍ରଭାବିତ ହୋଇଥିବା କହିଛନ୍ତି।
ବଣିଆବାହଳରେ ୫ଶହ ଘର ରହିଛି। ସେଥିମଧ୍ୟରୁ ନିୟୁ କାଳୀ ମନ୍ଦିର ଅଞ୍ଚଳରେ ଥିବା ଘରଗୁଡ଼ିକ ଚାରିପଟେ ପାଣି ଜମି ରହିଛି। ଏପରି କି ଯାତାୟାତ ପାଇଁ ଅନ୍ୟ ରାସ୍ତା ନ ଥିବାରୁ ଲୋକେ ପାଣି ଭିତରେ ପଶି ଚଳପ୍ରଚଳ ହେବାକୁ ବାଧ୍ୟ ହେଉଛନ୍ତି। କେତେଜଣଙ୍କ ଘରେ ମଧ୍ୟ ବର୍ଷା ପାଣି ପଶିଯାଇଛି। ଦୁଇବର୍ଷ ହେଲା ବର୍ଷାଦିନେ ଓ୍ବାର୍ଡବାସୀ ଏପରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ। ଏ ନେଇ ସେମାନେ ପୂର୍ବରୁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଅତୀତରେ ଜଣେ ତହସିଲଦାର ଏହାର ସମାଧାନ କରିବାକୁ ଉଦ୍ୟମ କରିଥିଲେ। ହେଲେ ତାଙ୍କର ବଦଳି ହୋଇଯାଇଥିଲା। ବଣିଆବାହାଳର ଯୁଧିଷ୍ଠିର ପଣ୍ଡା କହିଛନ୍ତି, କେତେଜଣ ଲୋକ ପ୍ଲଟିଂ କରି ଜବରଦଖଲ କରିଥିବା ଯୋଗୁ ଏପରି ସମସ୍ୟା ଦେଖାଦେଇଛି। ଏହି ଅଞ୍ଚଳ ଦେଇ ଯାଇଥିବା ଦଣ୍ଡାପାଟ ପାଟନାଳୀ ପୋତି ଦିଆଯାଇଥିବାରୁ ପାଣି ନିଷ୍କାସନ ହୋଇ ନ ପାରି ଘରେ ପଶୁଛି। ପ୍ରତାପ ବାରିକ କହିଛନ୍ତି, ସହରର ପାଣି ଦଣ୍ଡାପାଟ ଦେଇ ଲିଙ୍ଗରାଯୋଡିରେ ପଡିଥାଏ। କିନ୍ତୁ ପାଟନାଳୀ ପୋତି ଘର ନିର୍ମାଣ ପାଇଁ ପ୍ଲଟିଂ ଚାଲିଥିବାରୁ ସମସ୍ୟା ଉପୁଜୁଛି। ଘଟଣା ସମ୍ପର୍କରେ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ଓ୍ବାର୍ଡବାସୀଙ୍କ ଏହି ସମସ୍ୟାର ସମାଧାନ ନିମନ୍ତେ ୮୮ ଲକ୍ଷ ଟଙ୍କା ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରୁ ମଞ୍ଜୁର ହୋଇଛି। କିନ୍ତୁ ସ୍ଥାନୀୟ କିଛି ଅସୁବିଧା ପାଇଁ କାର୍ଯ୍ୟ ହୋଇପାରୁନାହିଁ। ତାହାର ସମାଧାନ ହେବା ପରେ କାର୍ଯ୍ୟ ହେବ ନଚେତ ପୁନର୍ବାର ଟେଣ୍ଡର କରାଯାଇ ଜଳ ନିଷ୍କାସନର ସ୍ଥାୟୀ ସମାଧାନ ବ୍ୟବସ୍ଥା କରାଯିବ ବୋଲି ନିର୍ବାହୀ ଅଧିକାରୀ ପଣ୍ଡା ପ୍ରକାଶ କରିଛନ୍ତି।