ମୌଳିକ ସୁବିଧା ଅପହଞ୍ଚ

ଛେଣ୍ଡିପଦା,୨୧।୧(ସ୍ବ.ପ୍ର.) ଜଙ୍ଗଲ ଗ୍ରାମରୁ ରାଜସ୍ବ ଗ୍ରାମର ମାନ୍ୟତା ପାଇଥିବା ଛେଣ୍ଡିପଦା ବ୍ଲକର ବଡ଼ମୂଳ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଏଯାଏ ମିଳିନାହିଁ। ବିଶେଷକରି ଗଁ। କୁ ସଂଯୋଗ କରୁଥିବା ମାଟିରାସ୍ତାକୁ ସବୁଦିନିଆ ରାସ୍ତାରେ ପରିଣତ କରିବା ପାଇଁ ବାରମ୍ବାର ଦାବି କରାଯାଉଥିଲେ ବି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, କତଡା ପଞ୍ଚାୟତରୁ ବଡମୂଳ ଗ୍ରାମକୁ ସଂଯୋଗ କରୁଥିବା ପ୍ରାୟ ୮କି.ମି.ର ମାଟିରାସ୍ତା ଦୀର୍ଘଦିନ ହେବ ଶୋଚନୀୟ ହୋଇପଡିଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ବଡମୂଳ, ଡାହିମାଳ, ପିତାଚରୀ ଡାହିମାଳ, ବକଳା, କତଡା ଆଦି ଗ୍ରାମସହ ଅନ୍ୟ ପାର୍ଶ୍ୱବର୍ତ୍ତୀ ଗ୍ରାମର ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅସରାଏ ବର୍ଷା ହେଲେ ଉକ୍ତ ରାସ୍ତାଟି କାଦୁଅରେ ଭର୍ତ୍ତି ହୋଇଯାଉଛି। ଗ୍ରାମକୁ ଗାଡିରେ ଯିବା ଆସିବା କରିବା ତ ଦୂରକଥା ଚାଲିକି ଯିବା ମଧ୍ୟ ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡୁଛି। ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଆୱାର୍ଡ କମିଟି ଅଧ୍ୟକ୍ଷ ରବିନାରାୟଣ ବହିଦାର ଓ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ କୁମାର ସାମଲଙ୍କ ଗସ୍ତବେଳେ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ବଡମୂଳ ଗାଁ ସଭାପତି ଶରତଚନ୍ଦ୍ର ସାହୁ, ସମ୍ପାଦକ ପ୍ରଦୀପ କୁମାର ଦେହୁରୀ, ଦେବରାଜ ସାହୁ, ନିଶାମଣି ସାହୁ, ଦୁଷ୍ମନ୍ତ ସାହୁ ପ୍ରମୁଖ ଦାବି କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଛେଣ୍ଡିପଦା ବିଡିଓ କହିଛନ୍ତି, ଉକ୍ତ ରାସ୍ତା ଜରପଡା ବନାଞ୍ଚଳ ସଂରକ୍ଷିତ ଜଙ୍ଗଲ ଅଧୀନରେ ଯାଉଛି। ତେଣୁ ରାସ୍ତା ନିର୍ମାଣ ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଅନୁମତି ନିମନ୍ତେ ସରକାରୀ ନିୟମାନୁଯାୟୀ ପଦକ୍ଷେପ ନିଆଯାଇଛି। ଛେଣ୍ଡିପଦା ପଞ୍ଚାୟତ ସମିତି ଅଧୀନରେ ଥିବା ରାସ୍ତା ନିର୍ମାଣ ସହ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯାଇଛି।