ମୌଳିକ ସୁବିଧାରୁ ବଞ୍ଚିତ ପାଟବେଡ଼ାବାସୀ:ସ୍ବଚ୍ଛ ପାଣି, ଭଲ ରାସ୍ତା ଅପେକ୍ଷାରେ ୯୦ ପରିବାର

ଖମାର, ୧୫।୧୨

ସର୍ବନିମ୍ନ ସୁବିଧାରୁ ଆଜି ପର୍ଯ୍ୟନ୍ତ ବଞ୍ଚିତ ହୋଇ ରହିଛନ୍ତି ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଶଙ୍ଖମୁର ପଞ୍ଚାୟତ ଅଧୀନ ପାଟବେଡ଼ା ଗ୍ରାମବାସୀ। ସ୍ବଚ୍ଛ ପାଣି, ରାସ୍ତା ଭଳି ମୌଳିକ ଆବଶ୍ୟକତା ପୂରଣ ହେବା ସେମାନଙ୍କ ପାଇଁ ସ୍ବପ୍ନ ହୋଇ ରହିଛି। ଫଳରେ ସମସ୍ୟା ଘେରରେ ଗ୍ରାମବାସୀ ଦିନ କାଟୁଥିଲେ ମଧ୍ୟ ସେମାନଙ୍କ ସୁବିଧା ପାଇଁ ପ୍ରଶାସନ ଆଦୌ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି।
ଗ୍ରାମବାସୀଙ୍କ କହିବା ମୁତାବକ, ଗମନାଗମନ ପାଇଁ ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ। ଫଳରେ ଗ୍ରାମର ୯୦ ପରିବାର ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ବର୍ଷା ହେଲେ ମାଟି ରାସ୍ତାଟି ଅତି କଦର୍ଯ୍ୟ ହୋଇପଡେ। ସେହିପରି ଗ୍ରାମ ମଧ୍ୟକୁ ଆମ୍ବୁଲାନ୍ସ ଆଦି ପଶିପାରୁ ନ ଥିବାରୁ ଗୁରୁତର ରୋଗୀଙ୍କୁ ଡାକ୍ତରଖାନାକୁ ନେବାରେ ବହୁ ଅସୁବିଧା ହେଉଛି। ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବନ୍ଦ ହୋଇଯାଇଥିବାରୁ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଶଙ୍ଖମୁର ଗ୍ରାମରେ ଜଳ ଯୋଗାଣ ପ୍ରକଳ୍ପ ସ୍ଥାପନ ହେବାର ପ୍ରାୟ ବର୍ଷେ ପର୍ଯ୍ୟନ୍ତ ପାଟବେଡ଼ାକୁ ଜଳ ଯୋଗାଇ ଦିଆଯାଉଥିଲା। ହେଲେ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଓ ରକ୍ଷଣାବେକ୍ଷଣ ଅଭାବରୁ ପ୍ରାୟ ୩ ବର୍ଷ ହେବ ଜଳ ଯୋଗାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅବଗତ କରାଇ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଓ ପିଇବା ପାଣି ଯୋଗାଣ ବ୍ୟବସ୍ଥା କରାଇବାକୁ ଦାବି ହୋଇଥିଲେ ହେଁ କେହି କର୍ଣ୍ଣପାତ କରୁ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତୁରନ୍ତ ଏହି ସମସ୍ୟା ସମାଧାନ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ପାଟବେଡାବାସୀ ଚେତାବନୀ ଦେଇଛନ୍ତି।