ମୋ ସରକାର ଯୋଜନାରେ ୩ଜିଲା ଡାକ୍ତରଖାନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ): ମୋ ସରକାର ପ୍ରତିନିଧି ଦଳ ନିକଟରେ ୫ ଜିଲା ଗସ୍ତ କରି ତୃତୀୟ ରିପୋର୍ଟ ପ୍ରଦାନ କରିଥିଲେ। ସେହି ରିପୋର୍ଟ ଆଧାରରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଜିଲା ସକାଶେ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏହି ତାଲିକାରେ ସୁନ୍ଦରଗଡ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲା ରହିଛି। ସୁନ୍ଦରଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ଆଟେଣ୍ଡାଣ୍ଟ ଏବଂ ଷ୍ଟାଫ କ୍ୱାର୍ଟର୍ସର ଭିତ୍ତିଭୂମି ସଜଡାଯିବ। ଏଥିପାଇଁ ଜିଲା ଖଣିଜ ପାଣ୍ଠିରୁ ଅର୍ଥ ଆଣି ଖର୍ଚ୍ଚ କରାଯିବ। ରକ୍ତ ସଂଗ୍ରହ ଅଭିଯାନକୁ ଅଧିକ ପ୍ରଚାର ପ୍ରସାର କରିଥିବାରୁ ସୁନ୍ଦରଗଡ ଜିଲା ଏସ୍‌ପିଙ୍କୁ ୧୦ଲକ୍ଷ ଟଙ୍କା ଦିଆଯିବ। ଏହାସହ ଦୁଇଟି ଆମ୍ବୁଲାନ୍ସ ଏବଂ ମହାପ୍ରୟାଣ ଗାଡି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି ରାଉରକେଲା ସରକାରୀ ଡାକ୍ତରଖାନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଘୋଷଣା କରାଯାଇଛି। ରାଉରକେଲା ସରକାରୀ ଡାକ୍ତରଖାନାର ବେଡ୍‌ ସଂଖ୍ୟା ୪ଶହକୁ ବୃଦ୍ଧି କରାଯିବ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୫ଲକ୍ଷ ଟଙ୍କା ଅଣାଯାଇ ରୋଗୀ କଲ୍ୟାଣ ସମିତିକୁ ଦିଆଯିବ। ଏହି ଅର୍ଥ ରୋଗୀଙ୍କ କଲ୍ୟାଣକାରୀ ଏବଂ ନୂତନଭାବେ କିଛି ପ୍ରସ୍ତୁତି ପାଇଁ ଖର୍ଚ୍ଚ କରାଯିବ। ରାଉରକେଲା ଏସ୍‌ପିଙ୍କୁ ମଧ୍ୟ ରକ୍ତ ସଂଗ୍ରହ ଅଭିଯାନର ଉତ୍ତମ ପ୍ରଚାର ପ୍ରସାର କରିପାରିଥିବା କାରଣରୁ ୧୦ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଛି। ସମାନଭାବେ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି ସଜାଡିବା ପାଇଁ ଜିଲା ଖଣିଜ ପାଣ୍ଠିରୁ ଅର୍ଥ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୫ଲକ୍ଷ ଟଙ୍କା ରୋଗୀ କଲ୍ୟାଣକାରୀ ବାବଦରେ ଖର୍ଚ୍ଚ କରାଯିବ। ରକ୍ତ ସଂଗ୍ରହ ଅଭିଯାନର ପ୍ରଚାର ପ୍ରସାର ଠିକ୍‌ରେ କରିଥିବାରୁ ମୟୂରଭଞ୍ଜ ଏସ୍‌ପିଙ୍କୁ ମଧ୍ୟ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି ସଜାଡିବା ପାଇଁ ଜିଲା ଖଣିଜ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।