‘ମୋ ସରକାର’: ଜାରି ହେଲା ଗାଇଡ୍‌ଲାଇନ : ଘରୋଇ ଢାଞ୍ଚାରେ ଚାଲିବ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର,୪ା୧୦(ବ୍ୟୁରୋ) : ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଅକ୍ଟୋବର ୨ ତାରିଖରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ୫-ଟି ଅଧୀନରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ଜରିଆରେ ସରକାରୀ କର୍ମଚାରୀମାନଙ୍କର ବ୍ୟବହାର ଓ ବୃତ୍ତିଗତ ଦକ୍ଷତାରେ ପରିବର୍ତ୍ତନ ଆଣିବା ହେଉଛି ମୂଳ ଲକ୍ଷ୍ୟ। ଘରୋଇ ସଂସ୍ଥା ଢାଞ୍ଚାରେ ଚାଲିବ ସରକାରୀ କାର୍ଯ୍ୟାଳୟ। ଜନସାଧାରଣଙ୍କ ରେଟିଂ ଉପରେ ନିର୍ଭର କରିବ କର୍ମଚାରୀମାନଙ୍କର ଚାକିରି ଭବିଷ୍ୟତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ବୁଧବାର ଶୁଭାରମ୍ଭ କରିବା ପରେ ଗୁରୁବାର ଏ ନେଇ ଗାଇଡଲାଇନ ଜାରି କରାଯାଇଛି।
ଲୋକମାନଙ୍କୁ ସରକାରୀ ଅଫିସଗୁଡିକରେ କିପରି ବ୍ୟବହାର କରାଯାଉଛି, ସେମାନଙ୍କ ସମସ୍ୟାକୁ ବୃତ୍ତିଗତ ତଥା ସେବା ମନୋଭାବ ନେଇ ସମାଧାନ କରାଯାଉଛି କି ନାହିଁ, ସଂସ୍ଥାଗୁଡିକୁ ଅଧିକ ଦକ୍ଷ କରିବା ପାଇଁ
ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଯେ କୌଣସି ବ୍ୟକ୍ତି ମତାମତ ଦେଇପାରିବେ। ଅକ୍ଟୋବର ୨ ତାରିଖରୁ ରାଜ୍ୟର ସମସ୍ତ ଥାନା ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଯେଉଁମାନେ ସରକାରୀ କାର୍ଯ୍ୟାଳୟକୁ ସେବା ପାଇଁ ଯିବେ ସେତେବେଳେ ସେମାନଙ୍କ ଟେଲିଫୋନ ନମ୍ବର ପଞ୍ଜୀକରଣ କରାଯିବ। ୨୪ ଘଣ୍ଟା ମଧ୍ୟରେ ଏସଏମ୍‌ଏସ ପଠାଯିବ। ଯଦି ଏସଏମ୍‌ଏସ ନ ଯିବ ତେବେ ୧୪୫୪୫ ନମ୍ବରକୁ ମିସ୍‌ଡ୍‌ କଲ୍‌ କରି ମୋ ସରକାର ପୋର୍ଟାଲରେ ଟେଲିଫୋନ ନମ୍ବରକୁ ପଞ୍ଜୀକୃତ କରିପାରିବେ। ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା କେତେକ ନମ୍ବରକୁ ମତାମତ ପାଇଁ ଯୋଗାଯୋଗ କରାଯିବ। ଅନୁକୂଳ ମତ ଆସିଲେ ସମ୍ପୃକ୍ତ ସଂସ୍ଥାକୁ ପୁରସ୍କୃତ କରାଯିବ। କର୍ମଚାରୀମାନଙ୍କୁ ଆଗୁଆ ପଦୋନ୍ନତି ମିଳିବ। ପ୍ରତିକୂଳ ମତ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।