ମୋବାଇଲ ଫୋନ ଜରିଆରେ ଲକ୍ଷାଧିକ ଟଙ୍କା ଠକେଇ

ଶେରଗଡ,୨୨ା୧୦(ଡି.ଏନ୍‌.ଏ.)- ଶେରଗଡ ବ୍ଲକ ଚିକିଲି ଗ୍ରାମର ସୁବାସ ଚନ୍ଦ୍ର ପାଢୀଙ୍କ ଆକାଉଣ୍ଟରୁ ଏକ ମୋବାଇଲ ଆପ୍‌ ଜରିଆରେ ୧ଲକ୍ଷ ୧୬ହଜାର ୬୩୦ ଟଙ୍କା ଠକେଇ ହୋଇଥିବା ସେ ଶେରଗଡ ଥାନାରେ ଅଭିଯୋଗ କରିଛନ୍ତି। ଥାନାଧିକାରୀ ରମେଶ ଚନ୍ଦ୍ର ଦାସ ନଂ.୧୦୦/୧୯ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରକାଶ ଯେ, ସୁବାସଙ୍କ ମୋବାଇଲ ଫୋନ୍‌ ନଂ.୯୭୪୯୭୭୬୧୪୮କୁ ସୋମବାର ଅପରାହ୍ନ ୧୨.୫୧ରେ ଏକ ମେସେଜ ଆସିଥିଲା। ୯୯୯ ଟଙ୍କା ଦେଲେ ଲକ୍ଷାଧିକ ଟଙ୍କାର ପୁରସ୍କାର ମିଳିବ ବୋଲି ଉଲ୍ଲେଖ ଥିଲା। ଏହାକୁ ଦେଖି ତାଙ୍କ ପୁଅ ମନି ଟ୍ରାଞ୍ଜାକ୍‌ସନ୍‌ ଆପ୍‌ ପେଟିମ ଜରିଆରେ ୯୯୯ ଟଙ୍କା ଏକ ଅଜଣା ନମ୍ବରକୁ ପଠାଇବା କ୍ଷଣି ୧ଲକ୍ଷ୧୬ହଜାର ୬୩୦ଟଙ୍କା ଆକାଉଣ୍ଟରୁ ଡେବିଟ୍‌ ହୋଇଯାଇଥିଲା। ସୁବାସ ତୁରନ୍ତ ଆକାଉଣ୍ଟ ଥିବା ନିକଟସ୍ଥ ଏସ୍‌ବିଆଇକୁ ଯାଇଥିଲେ। ସେଠାରେ ଠକେଇ ହୋଇଥିବା କହିବାପରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଅନ୍ୟଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ମଧ୍ୟ ଟଙ୍କା ଠକେଇ ହୋଇଥିବା ଜଣାପଡିଛି। ମାତ୍ର ଏନେଇ ଠିକ୍‌ ସୂଚନା ମିଳିପାରିନାହିଁ।