ମୋବାଇଲ ଚୋରି, ଲୁଟ୍‌ ଘଟଣାରେ ୯ ଗିରଫ

ସୋନପୁର/ଉଲୁଣ୍ଡା,୨୨।୪(ନି.ପ୍ର./ଡି.ଏନ.ଏ.): ସୋନପୁର ଟାଉନ ଥାନା ପୋଲିସ ମୋବାଇଲ ଚୋରି ଓ ଉଲୁଣ୍ଡା ପୋଲିସ ମୋବାଇଲ ଲୁଟ୍‌ ଘଟଣାରେ ସମ୍ପୃକ୍ତ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି। ବୁଧବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଲକ୍‌ଡାଉନ୍‌ ସମୟରେ ସୁବର୍ଣ୍ଣପୁର ସହର ଜୟ ଗୁରୁ ମାର୍କେଟ୍‌ କମ୍ପ୍ଲେକ୍ସ ସ୍ଥିତ ମିଶ୍ର ମୋବାଇଲ ଓ୍ବାର୍ଲ୍‌ଡ୍‌ ସପ୍‌ରୁ ଚୋରି ହୋଇଥିଲା। ଗତ ୧୦ ତାରିଖ ବିଳମ୍ବିତ ରାତିରେ ପ୍ରାୟ ୧୩୦ଟି ମୋବାଇଲ ଓ ବିଭିନ୍ନ ପ୍ରକାର ମୋବାଇଲ ସାମଗ୍ରୀ ଚୋରି ହୋଇଥିବା ଦୋକାନ ମାଲିକ ସୁରୋଜ କ୍‌ୁମାର ମିଶ୍ର ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏସ୍‌ପି ଦେବୀପ୍ରସାଦ ଦାଶଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିଲା। ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରି କରିଥିବା ସୋନପୁର ସହର କଳିଙ୍ଗନଗରର ନମ ମୁଖି(୧୯), ହେମନ୍ତ ବାଗ(୨୫), ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅଇଁଳାଚୁଆର ସୁଶାନ୍ତ କର୍ମୀ(୨୬), ମଧ୍ୟପ୍ରଦେଶ ସିଙ୍ଗ୍ରମପୁର ଅଞ୍ଚଳର ସଞ୍ଜୟ ବନସ୍କାର(୨୦) ଓ ମୋବାଇଲ କିଣିଥିବା ୨ମହିଳାଙ୍କୁ ଗିରଫ କରିଥିଲା।
ସେହିପରି ଉଲୁଣ୍ଡା ଥାନା ଉଲୁଣ୍ଡା-ମାଉଲିମାଲ ଜଙ୍ଗଲ ରାସ୍ତାରେ ରଞ୍ଜିତ ବାରିକଙ୍କ ନିକଟରୁ ମୋବାଇଲ ଲୁଟ୍‌ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଗତ ୧୧ ତାରିଖ ସନ୍ଧ୍ୟାରେ ବାରିକ୍‌ ଘରକୁ ଫେରୁଥିବା ବେଳେ ୨ଟି ବାଇକ୍‌ରେ ୪ ଜଣ ଦୁର୍ବୁତ୍ତ ତାଙ୍କୁ ମାଡ ମାରି ମୋବାଇଲ ଲୁଟି ନେଇଥିଲେ । ପୋଲିସ ତନାଘନା କରିବା ପରେ ଲୁଟେରା ବୀରମହାରାଜପୁର ଥାନା ଫୁଲଚରା ନୂଆଗଡ ଗ୍ରାମର ଅନିଲ ଜଗଦଲା(୨୪), ଆକାଶ ଜଗଦଲା(୧୯), ହିଲୁଙ୍ଗର ହଲନ୍ତା କୁମ୍ଭାର(୩୩)ଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ତେବେ ଅନ୍ୟତମ ଅଭିଯୁକ୍ତ ଉଲୁଣ୍ଡା ଥାନା ତେଲେଣ୍ଡା ଗ୍ରାମର ନରେଶ ବଗର୍ତ୍ତି(୩୩) ଫେରାର ଅଛନ୍ତି। ଏ ସମ୍ପର୍କରେ ଏସ୍‌ପି ଦେବୀ ପ୍ରସାଦ ଦାଶ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ରମେଶ ଚନ୍ଦ୍ର ପାଣିଗ୍ରାହୀ, ସୋନପୁର ଏସ୍‌ଡିପିଓ ମିହିର କୁମାର ପଣ୍ଡା, ବୀରମହାରାଜପୁର ଏସଡିପିଓ ଧୀରଜ ଚୋପଦାର, ସୋନପୁର ଆଇଆଇସି ଲୋକେଶ କୁମାର ସାହୁ ଓ ଉଲୁଣ୍ଡା ଆଇଆଇସି ବିଧୁ ଭୂଷଣ ତ୍ରିପାଠୀ ଉପସ୍ଥିତ ଥିଲେ ।