Categories: ଜାତୀୟ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ: ଯୋଗଦେବେ ୮ ରାଷ୍ଟ୍ରର ନେତା

ନୂଆଦିଲ୍ଲୀ,୨୮ା୫: ଆସନ୍ତା ୩୦ ତାରିଖରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବାବେଳେ ଏହି ଉତ୍ସବରେ ବାଂଲାଦେଶ, ମ୍ୟାନ୍‌ମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଓ ଭୁଟାନର ନେତାମାନେ ଯୋଗଦେବେ। ଭାରତ ସରକାରଙ୍କ ପକ୍ଷରୁ ବିମ୍‌ଷ୍ଟେକ୍‌ ସଦସ୍ୟ ରାଷ୍ଟ୍ରର ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଛି। ପଡୋଶୀ ପ୍ରଥମ ନୀତିକୁ ସରକାର ପ୍ରାଧାନ୍ୟ ଦେଉଥିବା ଏଥିରୁ ସ୍ପଷ୍ଟ ହୋଇଛି। ଏହା ବ୍ୟତୀତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ଅଧ୍ୟକ୍ଷ ଥିବା କିର୍‌ଗିଜ ରିପବ୍ଲିକ୍‌ ଏବଂ ଚଳିତ ବର୍ଷ ପ୍ରବାସୀ ଭାରତୀୟ ଦିବସରେ ମୁଖ୍ୟ ଅତିଥି ହୋଇଥିବା ମରିସସ୍‌ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିବା ସରକାରୀ ମୁଖପାତ୍ର କହିଛନ୍ତି। ୨୦୧୪ରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ସମସ୍ତ ସାର୍କ ନେତାଙ୍କୁ ଆମନ୍ତ୍ରଣ କରାଯାଇଥିଲା।
ଗୁରୁବାର ରାତି ୭ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ଅନ୍ୟ ସଦସ୍ୟମାନଙ୍କୁ ଶପଥ ପାଠ କରାଇବେ। ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ଶନିବାର ମୋଦଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ ଏବଂ ସରକାର ଗଠନ ଲାଗି ତାଙ୍କୁ ଆମନ୍ତ୍ରଣ କରିଥିଲେ। ୫୪୩ ଆସନ ବିଶିଷ୍ଟ ଲୋକ ସଭାରେ ୫୪୨ ଆସନ ଲାଗି ନିର୍ବାଚନ ହୋଇଥିବାବେଳେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ୩୫୩ ଆସନରେ ବିଜୟୀ ହୋଇଛି।

Share