Categories: ଜାତୀୟ

ମୋଦିଙ୍କ ମିଛ ଧରାପକାଇଲେ ଗୋଗୋଇ

ଗୁଆହାଟୀ,୨୮ା୧୨: ଦେଶରେ ଅଟକ କେନ୍ଦ୍ର ନାହିଁ ବୋଲି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବାବେଳେ ଏହାକୁ ନେଇ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ପ୍ରଶ୍ନ ଉଠାଇଛନ୍ତି। ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରୁ ବେଆଇନ ଶରଣାର୍ଥୀମାନଙ୍କ ପାଇଁ ଅଟକ କେନ୍ଦ୍ର ନିର୍ମାଣ ନିମନ୍ତେ ରାଜ୍ୟଗୁଡ଼ିକୁ କୁହାଯାଇଥିଲା। ଯେଉଁ ବିଦେଶୀମାନେ ବେଆଇନ ଭାବେ ପ୍ରବେଶ କରିଥିବା ଅଭିଯୋଗରେ ଜେଲ୍‌ ଅବଧି ପୂରଣ କରିସାରିଛନ୍ତି, ସେମାନଙ୍କୁ ଉକ୍ତ ଅଟକ କେନ୍ଦ୍ରରେ ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା। ମୋଦି କ୍ଷମତାକୁ ଆସିବା ପରେ ଆସାମରେ ୩୦୦୦ ଲୋକ ରହିବା ଭଳି ଦେଶର ସର୍ବବୃହତ୍‌ ଅଟକ କେନ୍ଦ୍ର ନିର୍ମାଣ ଲାଗି ୪୬ କୋଟି ଟଙ୍କା ଦେଇଥିଲେ। ସେ ଏକଥା କିପରି ଭୁଲିଗଲେ ବୋଲି ଗୋଗୋଇ ପ୍ରଶ୍ନ କରିଛନ୍ତି। ୨୦୦୧ରୁ ୨୦୧୬ ଆସାମରେ କ୍ଷମତାସୀନ ଥିବା ଗୋଗୋଇଙ୍କ ସରକାର ଗୁଆହାଟୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଘୋଷିତ ବିଦେଶୀମାନଙ୍କ ଲାଗି ଅଟକ କେନ୍ଦ୍ର ନିର୍ମାଣ କରିଥିଲେ। ଏନ୍‌ଆର୍‌ସି ବିବାଦରୁ ବର୍ତ୍ତିବା ପାଇଁ ଏବେ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି। ବେଆଇନ ଶରଣାର୍ଥୀ ଚିହ୍ନଟ କରିବା ଓ ସେମାନଙ୍କୁ ଅଟକ ରଖିବାରେ ଧର୍ମକୁ କାରଣ ଭାବେ ନିଆଯାଇ ନ ଥିଲା। ତେଣୁ ଅଟକ କେନ୍ଦ୍ରଗୁଡ଼ିକରେ ମୁସଲମାନଙ୍କ ଅପେକ୍ଷା ଅଧିକ ହିନ୍ଦୁ ଅଟକ ରହିଥିଲେ। ନୂଆ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ସେମାନଙ୍କୁ ଛାଡ଼ିଦେବା ପାଇଁ ୩ ବର୍ଷ ପରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Share