ମେଡିକାଲରେ ଦମ୍ପତିଙ୍କୁ ଠକେଇ ଅଭିଯୋଗ: ସରକାରୀ ସହାୟତା ମିଳିବ କହି ନେଇଗଲେ ୭ଶହ

ଅନୁଗୋଳ ଅଫିସ, ୨୮।୮-ସରକାରୀ ସହାୟତା ଯୋଗାଇ ଦେବାକୁ କହି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଏକ ଦମ୍ପତିଙ୍କଠାରୁ ଅର୍ଥ ଠକେଇ କରାଯାଇଛି। ପୂର୍ବରୁ ଏଭଳି ୩ଟି ଘଟଣା ଘଟିଥିଲେ ବି ମେଡିକାଲରେ ଯେ ଦଲାଲମାନେ ସକ୍ରିୟ ଅଛନ୍ତି ତାହା ମଙ୍ଗଳବାର ଅପରାହ୍ନର ଏହି ଠକେଇ ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ଜଣେ ହେଲମେଟ ପିନ୍ଧା ଦଲାଲ ସେମାନଙ୍କଠାରୁ ୭ଶହ ଟଙ୍କା ନେଇ ଫେରାର ହୋଇଯାଇଥିବା ସମ୍ପୃକ୍ତ ଦମ୍ପତି ଅଭିଯୋଗ କରିଛନ୍ତି।
ଠକେଇର ଶିକାର ହୋଇଥିବା ବୃଦ୍ଧାବୃଦ୍ଧ ହେଲେ ଜରପଡ଼ା କତଡ଼ା ଗାଁର ଯଶୋଦା ଦେହୁରୀ ଓ ପ୍ରସନ୍ନ ଦେହୁରୀ। ବହିର୍ବିଭାଗରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଔଷଧ ନେବା ପାଇଁ ସେମାନେ ମେଡିକାଲ ପରିସରରେ ଛିଡ଼ା ହୋଇଥିଲେ। ଏହି ସମୟରେ ହେଲମେଟ ପିନ୍ଧା ଜଣେ ଦଲାଲ୍‌ ତାଙ୍କ ନିକଟରେ ପହଞ୍ଚି ସମ୍ପର୍କୀୟ ବୋଲି ପରିଚୟ ଦେଇଥିଲେ। ଏହାପରେ ଡାକ୍ତରଖାନା ପକ୍ଷରୁ ଚିକିତ୍ସା ପାଇଁ ଟଙ୍କା ମିଳିବ କହି ତାଙ୍କଠାରୁ ୭ଶହ ଟଙ୍କା ନେଇଥିଲେ। ଯଶୋଦାଙ୍କୁ ଏକ ଗଛ ତଳେ ବସାଇ ଦଲାଲ ଜଣକ ପ୍ରସନ୍ନଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗ କୋଠାକୁ ନେଇଯାଇଥିଲେ। ସେଠାରେ ଟଙ୍କା ମିଳୁଥିବା କହି ପ୍ରସନ୍ନଙ୍କୁ ଧାଡ଼ିରେ ଛିଡ଼ା କରି ପଳାଇ ଯାଇଥିଲେ। ପରେ ସେଠାରେ ଟଙ୍କା ମିଳୁ ନ ଥିବା ଓ ସେ ଠକେଇର ଶିକାର ହୋଇଥିବା ପ୍ରସନ୍ନ ଜାଣିବାକୁ ପାଇଥିଲେ। ବିଭାଗୀୟ କର୍ମଚାରୀ ହେଲମେଟ ପିନ୍ଧା ଦଲାଲଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ପାଇ ନ ଥିଲେ। ସମ୍ପୃକ୍ତ ଦମ୍ପତିଙ୍କୁ ନିରାମୟରେ ମିଳୁଥିବା ଔଷଧ ପ୍ରଦାନ କରାଯାଇଥିଲା। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ କୁମାର ବେହେରା କହିଛନ୍ତି, ଅନେକ ଲୋକ ଏପରି ଠକାମିର ଶିକାର ହେଉଥିବା ଖବର ପାଉଛୁ। ଅଭିଯୋଗ ହେଉ ନ ଥିଲେ ବି ସଚେତନତା ପାଇଁ ମେଡିକାଲ ପରିସରରେ ପୋଷ୍ଟରମାନ ମରାଯାଇଛି। ତେବେ ଦମ୍ପତିଙ୍କୁ କିଏ ଠକିଛି ବୁଧବାର ସିସିଟିଭି ଫୁଟେଜ ଦେଖି ଖୋଳତାଡ଼ କରାଯିବ ବୋଲି ବେହେରା ସୂଚନା ଦେଇଛନ୍ତି।