ମୃତ୍ୟୁସଂଖ୍ୟା ଲକ୍ଷେ ଟପିଲା

ଓ୍ବାଶିଂଟନ/ରୋମ୍‌/ ଲଣ୍ଡନ,୧୧ା୪: କରୋନା ଭୂତାଣୁ ଯୋଗୁ ବିଶ୍ୱବ୍ୟାପୀ ମୃତ୍ୟୁସଂଖ୍ୟା ଲକ୍ଷେ ଟପିଛି। ୧୬.୫୦ ଲକ୍ଷ ଲୋକ ଏହି ଭୂତାଣୁ କବଳରେ ଅଛନ୍ତି। ଶୁକ୍ରବାର ମୋଟ ୪,୫୭୦ ଲୋକଙ୍କ ଜୀବନ ଯାଇଥିବା ବେଳେ ୪୪ ହଜାର ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଆମେରିକାରେ କେବଳ ୪.୭୮ ଲକ୍ଷ ବ୍ୟକ୍ତି ଆକ୍ରାନ୍ତ ଥିବା ବେଳେ ଏଠାରେ ମୃତ୍ୟୁସଂଖ୍ୟା ୧୯,୯୨୦କୁ ବୃଦ୍ଧିପାଇଛି। ମାତ୍ର ୨୪ ଘଣ୍ଟାରେ ଏଠାରେ ୧୦ ହଜାର ସଂକ୍ରମିତ ହୋଇଥିବା ବେଳେ ୧,୨୨୮ ଲୋକଙ୍କ ମୁଣ୍ଡ ଗଡ଼ିଛି। ସ୍ପେନ୍‌ରେ ଅଦ୍ୟାବଧି ୧୫,୯୭୦ ଜୀବନ ଯାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧.୫୭ ଲକ୍ଷରେ ପହଞ୍ଚିଛି। ଇଟାଲୀରେ ୧୮,୮୫୦ ଜଣଙ୍କ ମୃତ୍ୟୁ ଘଟିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୧.୪୭ ଲକ୍ଷ ଉପରେ ରହିଛି। ସ୍ପେନ୍‌ ଓ ଇଟାଲୀରେ ୨୪ ଘଣ୍ଟା ମଧ୍ୟରେ ହଜାରେରୁ ଅଧିକ ଜୀବନ ଯାଇଛି। ଫ୍ରାନ୍ସରେ ୧୨, ୨୧୦ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧.୧୭ ଲକ୍ଷରୁ ଊର୍ଦ୍ଧ୍ୱରେ ରହିଛି। ଜମାନୀରେ ୧.୨୦ ଲକ୍ଷ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨,୬୦୭ ଜୀବନ ଗଲାଣି। ଚାଇନାରେ ୮୧ ହଜାର ଆକ୍ରାନ୍ତ ଥିବାବେଳେ ମୃତ୍ୟୁସଂଖ୍ୟା ୩,୩୩୬ ରହିଛି। ଇରାନରେ ୬୮ ହଜାର ଆକ୍ରାନ୍ତ ରହିଥିବା ବେଳେ ମଲେଣି ୪,୨୩୨। ବ୍ରିଟେନ ସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି। ଏଠାରେ ମୃତ୍ୟୁସଂଖ୍ୟା ବଢ଼ି ୮,୯୫୮ ରହିଛି। ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାର ଉପରେ ରହିଛି। ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ବେଲଜିୟମରେ ୩,୦୧୯, ତୁର୍କୀରେ ୯୦୮, ନେଦରଲାଣ୍ଡରେ ୨,୫୧୧, ବ୍ରାଜିଲରେ ୯୭୫, ସ୍ବିଡେନରେ ୮୭୦ ମୁଣ୍ଡ ଗଡ଼ିଲାଣି। ୨୦୯ ଦେଶକୁ କରୋନା ଭୂତାଣୁ କବଳିତ କରି ରଖିଥିବା ବେଳେ ପରିସ୍ଥିତି ବିଷମୟ ହୋଇପଡ଼ିଛି। ସାମାଜିକ ଦୂରତ୍ୱ ରକ୍ଷା ସହ ଲକ୍‌ଡାଉନ୍‌ କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି।

Share