ମୃତଦେହକୁ ଝୁଣି ଖାଉଛନ୍ତି ବୁଲା କୁକୁର, କାହାରି ନିଘା ନାହିଁ

ନବରଙ୍ଗପୁର,୨।୧(ବି.ପ୍ର.): ନବରଙ୍ଗପୁର ଜିଲା ସଦର ମହକୁମା ଗାବ୍ରିଆଲଗୁଡ଼ା ନିକଟରେ ଥିବା କୁସୁମଝର ଡ୍ୟାମ୍‌ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦିନେ କି ଦୁଇଦିନ ନୁହେଁ, ବରଂ ଦୀର୍ଘ ଦିନ ଧରି ଡ୍ୟାମ୍‌ରେ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ପଡ଼ି ରହିଛି। କୁକୁର ଓ ଅନ୍ୟ ପଶୁମାନେ ଟାଣି ଖାଉଥିବା ଯୋଗୁ କେବଳ ଶରୀରର ହାଡ଼ ଓ ଖପୁରି ଦେଖାଯାଉଛି। ଏନେଇ ଡ୍ୟାମ ପାଖରେ ଥିବା ଘର, ଷ୍ଟେ ହୋମ୍‌ ଓ ଲୋକମାନେ ଜାଣିଥିଲେ ମଧ୍ୟ କେହି ବି ପୋଲିସକୁ ଖବର ଦେଇ ନ ଥିବା କୁହାଯାଉଛି।
ପ୍ରକାଶଯୋଗ୍ୟ, ଘଟଣାସ୍ଥଳରୁ ପ୍ରାୟ ୧ କିମି ଦୂରରେ ଜିଲା ପ୍ରଶାସନ ପକ୍ଷରୁ ଡିସେମ୍ବର ୧୩ରୁ ୧୭ ପର୍ଯ୍ୟନ୍ତ ନବରଙ୍ଗପୁର ଜିଲା ଲୋକ ମହୋତ୍ସବ ‘ମଣ୍ଡେଇ’ ପାଳିତ ହୋଇଥିଲା। ସେହି ସମୟରେ ଡ୍ୟାମ୍‌ରେ ପାଣି ଭରି ରହିଥିଲା। ଏଣୁ ଉକ୍ତ ସମୟରେ ଏହି ଘଟଣା ଘଟିଥାଇପାରେ ବୋଲି ସ୍ଥାନୀୟ ଓ୍ବାର୍ଡମେମ୍ବର ଜିତୃ ଜାନୀ କହିଛନ୍ତି।