ମୃତକଙ୍କ ପରିବାରକୁ ଭେଟିଲେ କଂଗ୍ରେସ ନେତା

ଗୋପାଳପୁର,୧୪ା୨- ଗତ ରବିବାର ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ରାସ୍ତାରେ ନିର୍ବନ୍ଧ ପାଇଁ ଯାଉଥିବା ବସ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯିବାରୁ ୧୦ ଜଣଙ୍କ ଜୀବନ ଯାଇଥିଲା। ଗୁରୁବାର ଅପରାହ୍ନରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଓ ଅନ୍ୟ କଂଗ୍ରେସ ନେତା ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଡଙ୍କଲପାଡୁ ଗ୍ରାମକୁ ଯାଇଥିଲେ। ଶୋକସନ୍ତପ୍ତ ୧୦ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସହଯୋଗ କରିବେ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି। ବାପା, ମା’ଙ୍କୁ ହରାଇଥିବା ଦୁଇ ଭଉଣୀଙ୍କୁ ସମବେଦନା ଜଣାଇବା ସହ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ବିଧାୟକ ଜେନା ପ୍ରତିଶ୍ରୁତି ଦେଇଛନ୍ତି। ବିଦ୍ୟୁତ ଆଘାତରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ବିଧାୟକଙ୍କୁ ଅନୁରୋଧ କରିଥିଲେ। ବିଧାୟକ ଜେନାଙ୍କ ସହ ଯୋଗାଯୋଗ ବେଳେ ସେ କହିଥିଲେ, ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁ ଏଭଳି ଘଟିଛି। ଦୁଇ ଅନାଥ ଝିଅଙ୍କୁ ସହଯୋଗ କରିବି, ଏଥିସହ ଚିକିତ୍ସିତ ହେଉଥିବା ଆହତ ଓ ମୃତକଙ୍କ ପରିବାରକୁ କିଭଳି ଅଧିକ ସହାୟତା ମିଳିବ ସେନେଇ ଉଦ୍ୟମ କରିବି ବୋଲି ସୁଚନା ଦେଇଥିଲେ। ଏହି ଟିମରେ ମହିଳା କଂଗ୍ରେସ ଜିଲା ସଭାନେତ୍ରୀ ସ୍ବରୂପା ତ୍ରିପାଠୀଙ୍କ ସମେତ ଶମ୍ଭୁ ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇଥିଲେ।