ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱାରୋପ

ବାଲେଶ୍ୱର ଅଫିସ, ୩୦।୯-ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ପୁରାତନ କ୍ୟାମ୍ପସ୍‌ ସମ୍ମିଳନୀ କକ୍ଷରେ ଦୂର ଓ ନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ୨୦୧୯-୨୦ ବର୍ଷର ନୂତନ ଛାତ୍ରୀଛାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ରବିବାର ନିର୍ଦ୍ଦେଶକ ପ୍ରଫେସର ସୁନେଶ ଚନ୍ଦ୍ର ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା। ସାହିତି୍ୟକ ତଥା ଭେଷଜ ବିଶେଷଜ୍ଞ ଡା. ଚୌଧୁରୀ ସତ୍ୟବ୍ରତ ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇ ମୂଲ୍ୟବୋଧଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରି ସ୍ବାଧୀନତା, ଆନନ୍ଦ ଓ ଜିଜ୍ଞାସା ବିଦ୍ୟାର୍ଥୀ ଜୀବନର ମୁଖ୍ୟ ଆବଶ୍ୟକତା ବୋଲି ବକ୍ତବ୍ୟ ରଖିଥିଲେ। ଭାରପ୍ରାପ୍ତ କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ଦେହୁରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରମାନଙ୍କ ଉଦ୍ଦେଶ୍ୟରେ ଦୂର ଓ ନିରନ୍ତର ଶିକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ। ଅମିତ କୁମାର ବେହେରା ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର କୌଣସି ସମୟସୀମା ନାହଁି ଏବଂ ଛାତ୍ରୀଛାତ୍ରମାନେ ନିଜ ଉଦ୍ୟମରେ ଶିକ୍ଷାଗ୍ରହଣର ମାନସିକତା ରଖିବା ଉଚିତ୍‌ ବୋଲି କହିଥିଲେ।
ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ବିଶ୍ୱବିଦ୍ୟାଳୟର ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହାପରେ ସହନିର୍ଦ୍ଦେଶକ ଡ. ଦେବଦତ୍ତ ଦାସ ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ଦୂର ଓ ନିରନ୍ତର ଶିକ୍ଷା ସମ୍ପର୍କରେ ସମ୍ୟକ୍‌ ସୂଚନା ଦେଇ ଏହାକୁ ଏକ ପରିବାର ସହିତ ତୁଳନା କରିଥିଲେ। ପାଠ ସଂଯୋଜକ ଅଧ୍ୟାପକ ଡ. ମନୋଜ କୁମାର ଆଚାର୍ଯ୍ୟଙ୍କ ବକ୍ତବ୍ୟ ପରେ ନବାଗତ ଛାତ୍ରୀଛାତ୍ରମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଦୂର ଓ ନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ଏକ ନିଯୁକ୍ତି କର୍ମଶାଳା ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥା ଯୋଗଦେଇ ଛାତ୍ରୀଛାତ୍ରମାନଙ୍କୁ ନିଯୁକ୍ତିକ୍ଷମ କରିବା ପାଇଁ ସୁଯୋଗ ସୃଷ୍ଟି କରିଥିଲେ।