ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଗ୍ୟାସ୍‌ ଟ୍ୟାଙ୍କର-କୋଇଲା ବୋଝେଇ ଟ୍ରକ୍‌: ୨ ଡ୍ରାଇଭର ଜୀବନ୍ତ ଦଗ୍ଧ

ସମ୍ବଲପୁର,୧୪।୧୨(ବ୍ୟୁରୋ): ସମ୍ବଲପୁର-ଅନୁଗୋଳ ଜାତୀୟ ରାଜପଥ ୫୫ନଂ. ଯୁଯୁମୁରା ଥାନା ଛକ ନିକଟରେ ଶନିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର (ଓଡି ୫ ଏଚ୍‌- ୧୦୯୯) ସମ୍ବଲପୁରରୁ କଟକ ଆଡ଼କୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କୋଇଲା ବୋଝେଇ ଟ୍ରକ୍‌ (ସିଜି ୧୩ଏବି-୭୬୯୯) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୨ ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଛି। ଗାଡି ଭିତରେ ଥିବା ୨ ଜଣ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପୁରୀ ଜିଲାର ଶ୍ୟାମସୁନ୍ଦର ପାଣି ବୋଲି ଜଣାପଡିଥିବାବେଳେ ଅନ୍ୟ ଜଣେ ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ଯୁଯୁମୁରା, ସମ୍ବଲପୁର, ମାନେଶ୍ୱର ସେକ୍ଟରର ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଅପରପକ୍ଷେ ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌ ହେଉଥିବା ନେଇ ଜଣାପଡିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଉଭୟ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ଝାରସୁଗୁଡ଼ାରୁ ଏକ ସ୍ବତନ୍ତ୍ର ଟିମ୍‌ ଗ୍ୟାସ୍‌ ଲିକକୁ ନିୟନ୍ତ୍ରଣ କରିବା ପାଇଁ ଆସୁଥିବା ଜଣାପଡ଼ିଛି।