ମୁସରଙ୍ଗି ଜଙ୍ଗଲରେ ବାଘ ଆତଙ୍କ

ନୂଆପଡ଼ା ଅଫିସ,୮ା୮: ସ୍ଥାନୀୟ ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମୁସରଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ଟି କଲରାପତରିଆ ବାଘ ବୁଲୁଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ବୁଧବାର ସକାଳେ ସ୍ଥାନୀୟ ଜଙ୍ଗଲରେ ବାଘ ଦୁଇଟି ଘୁରି ବୁଲୁଥିବା କୁକୁଡାଟାଲ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏହାକୁ ଦେଖି କେତେଜଣ ଯୁବକ ମୋବାଇଲରେ ଫଟୋ ଉଠାଇ ଭାଇରାଲ କରିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଆଖପାଖ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଫରେଷ୍ଟ ରେଞ୍ଜ ତରଫରୁ ବାଘ ଆତଙ୍କ ନେଇ ସତର୍କତା ଅବଲମ୍ବନ କରାଯାଇଛି। ଲୋକଙ୍କୁ ଜଙ୍ଗଲ ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ା ଗ୍ରାମବାସୀ ସନ୍ଧ୍ୟା ହେଲେ ତାଟି କବାଟ ବନ୍ଦ କରି ରହୁଛନ୍ତି। ସୂଚନାଯୋଗ୍ୟ, ୨ ବର୍ଷ ତଳେ ସ୍ଥାନୀୟ ହଳଦୀ ଗ୍ରାମ୍ୟ ଜଙ୍ଗଲରେ ବାଘ ଏକ ଶିଶୁକୁ ମା’ କୋଳରୁ ଟାଣି ନେଇ ଖାଇଦେଇଥିଲା । ପରେ ବନ ବିଭାଗ ଦୁଇଟି ବାଘକୁ କାବୁ କରିଥିଲା । ବର୍ତ୍ତମାନ ମୁସରଙ୍ଗି ଜଙ୍ଗଲ ଉପରେ ସମସ୍ତଙ୍କ ନଜର ରହିଛି ା