Categories: ଜାତୀୟ

ମୁମ୍ବାଇରେ ପ୍ରବଳ ବର୍ଷା: ଟ୍ରେନ୍‌ ଓ ଗାଡ଼ି ଚଳାଚଳ ବ୍ୟାହତ

ମୁମ୍ବାଇ,୨ା୭(ପି.ଟି.): ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଫଳରେ ଟ୍ରେନ୍‌ ଓ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ମୁମ୍ବାଇ ସମେତ ଥାନେ, ପାଲଘର ଓ ଏହାର ଆଖପାଖ ଅଞ୍ଚଳରେ ଆଉ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଲୋକଙ୍କ ଚିନ୍ତା ଆହୁରି ବଢ଼ିଯାଇଛି। ଚେମ୍ବୁର ସମେତ ଅନ୍ୟ କେତେକ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯାଇଛି। ସେହିପରି ହିନ୍ଦ୍‌ମାତା, ପାରେଲ, ଲାଲବାଗ୍‌, ସେନାପତି ବାପଟ ରୋଡରେ ପାଣି ଜମି ରହିଛି। ୧୨ଟି ସ୍ଥାନରେ କାନ୍ଥ ଭୁଶୁଡିଥିବା ଜଣାପଡିଛି। ମୁମ୍ବାଇରେ ଦୁଇଦିନରେ ୫୪୦ ମିଲିମିଟର ବର୍ଷା ହୋଇଥିବା ମ୍ୟୁନିସିପାଲ କମିଶନର ପ୍ରବୀଣ ପରଦେଶୀ କହିଛନ୍ତି। ସହରରେ ବର୍ଷାଜନିତ ଦୁର୍ବିପାକ ପାଇଁ ସେ ଜଳବାୟୁ ପରିବର୍ତ୍ତନ ଓ ଭୌଗୋଳିକ ସ୍ଥିତିକୁ ଦାୟୀ କରିଛନ୍ତି।
ସିଓନ ଏବଂ ମାତୁଙ୍ଗା ଷ୍ଟେଶନ ମଧ୍ୟରେ ରେଳଧାରଣା ବୁଡିଯାଇଥିବାରୁ ଟ୍ରେନ ଚଳାଚଳ ବନ୍ଦ ରହିଛି। ଦାଦରର ହିନ୍ଦ୍‌ମାତା ଅଞ୍ଚଳରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲୁଥିବାରୁ ସେଥିରେ ପିଲାମାନେ ସନ୍ତରଣ କରୁଥିବା ଦେଖିବାକୁ ମିଳିଛି। ପାଣି ନ କମିବା ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ନ ଚଳାଇବାକୁ ବିଏମ୍‌ସି ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଟ୍ରେନ ଚଳାଚଳରେ ବିଳମ୍ବ ଯୋଗୁ ବିଭିନ୍ନ ଷ୍ଟେଶନରେ ପ୍ରବଳ ଗହଳି ଦେଖାଯାଇଛି। ପାଲଘର ଜିଲାରେ ପ୍ରବଳ ବର୍ଷା ସାଙ୍ଗକୁ ପୁନେର ଲୋନାଭାଲା ହିଲ୍‌ଷ୍ଟେଶନରେ ରେଳଲାଇନ କ୍ଷତିଗ୍ରସ୍ତ ହୋଇଥିବାରୁ ସକାଳେ ୨୭ଟି ଦୂରଗାମୀ ଟ୍ରେନ୍‌ ଚଳାଚଳକୁ ବାତିଲ କରିଦିଆଯାଇଥିଲା। ସେହିପରି କେତେକ ସ୍ଥାନରେ ରେଳଲାଇନ ପାଣିରେ ବୁଡ଼ି ରହିଥିବାରୁ ଅନ୍ୟ କେତେକ ଟ୍ରେନ୍‌ର ଚଳାଚଳକୁ ସଂକ୍ଷିପ୍ତ କରାଯାଇଥିଲା। ସେହିପରି କରଜାଟ ଏବଂ ଲୋନାଭାଲା ମଧ୍ୟବର୍ତ୍ତୀ ପଶ୍ଚିମଘାଟ ସେକ୍ସନ୍‌ରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବାରୁ ଉକ୍ତ ଲାଇନରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା। ମୁମ୍ବାଇ ଓ ପୁନେ ମଧ୍ୟରେ ଯାତାୟାତ କରୁଥିବା ସଟଲ୍‌ ଟ୍ରେନଗୁଡିକର ଚଳାଚଳ ମଧ୍ୟ ବ୍ୟାହତ ହୋଇଥିଲା। ସୋମବାର ହଜାର ହଜାର ସରକାରୀ ଓ ଘରୋଇ କର୍ମଚାରୀ ବର୍ଷା ଯୋଗୁ କାର୍ଯ୍ୟରେ ଯୋଗ ଦେଇପାରି ନାହାନ୍ତି। ରାସ୍ତାରେ ପଟ୍‌ହୋଲ୍‌ ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ବୋଲି ଦୈନନ୍ଦିନ ଓ୍ବେଷ୍ଟର୍ନ ଏକ୍ସପ୍ରେସ୍‌ ହାଇଓ୍ବେରେ ଯାତାୟାତ କରୁଥିବା ଜଣେ ବ୍ୟକ୍ତି କହିଛନ୍ତି।

Share