ମୁମ୍ବାଇରୁ ସାଇକେଲ୍‌ରେ ମୟୂରଭଞ୍ଜ: ୧୦ ଦିନରେ୧୬ଶହ କି.ମି. ଆସିଲେ ଯୁବକ

ଉଦଳା,୧ା୫(ଡି.ଏନ୍‌.ଏ.)- ମୁମ୍ବାଇରୁ ମୟୂରଭଞ୍ଜ ଦୀର୍ଘ ୧୬ ଶହ କି.ମି. ଯାତ୍ରା। ମୟୂରଭଞ୍ଜ ଜିଲାର ଦିବ୍ୟରଞ୍ଜନ ଲେଙ୍କା ନାମକ ଜଣେ ଯୁବକ ସାଇକେଲ ଚଲାଇ ୧୦ଦିନରେ ଆସି ନିଜ ଗଁା ପାଖରେ ପହଞ୍ଚିଛନ୍ତି। ଆସିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ନିଜ ଲକ୍ଷ୍ୟସ୍ଥଳରୁ ବିଚ୍ୟୁତ ହୋଇ ନ ଥିଲେ। ଶେଷରେ ସଫଳ ମଧ୍ୟ ହୋଇଛନ୍ତି। ଏହି ଯୁବକଙ୍କ ଘର କପ୍ତିପଦା ବ୍ଲକ ଅଧୀନ ଗେଣ୍ଡାଗୋଡ଼ିଆ ଗ୍ରାମରେ। ଘରଠାରୁ ଅଳ୍ପ ଦୂର ଉଦଳାରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ସ୍ଥାନୀୟ କ୍ୱାରାଣ୍ଟାଇନ ସେଣ୍ଟରରେ ରଖିଛି।
ଏବେ କରୋନା ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ ହୋଇଛି। ବାହାର ରାଜ୍ୟରେ କାମ କରୁଥିବା ଓଡ଼ିଆ ଲୋକେ ଏବେ ଘରକୁ ଫେରିବାକୁ ବ୍ୟଗ୍ର ହୋଇପଡ଼ିଛନ୍ତି। କିଏ ଚାଲି ଚାଲି ଲୁଚି ପଳାଇ ଆସୁଛନ୍ତି ତ ଆଉ କେହି ସାଇକେଲରେ ଗାଁକୁ ଫେରି ଆସୁଛନ୍ତି। ଆମ ଦେଶର ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର। ଦିବ୍ୟରଞ୍ଜନ ଦୀର୍ଘ ବର୍ଷ ହେଲା ମୁମ୍ବାଇର ଏକ କପଡ଼ା ତିଆରି କାରଖାନାରେ କାର୍ଯ୍ୟ କରୁଥିଲେ। ଲକ୍‌ଡାଉନ ଯୋଗୁ କାରଖାନା ବନ୍ଦ ହୋଇଯିବାରୁ ସେଠାରେ ସେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖାଇବାକୁ ନ ପାଇ ସାଇକେଲରେ ଘରକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେ ଗତ ୨୦ ତାରିଖରୁ ମୁମ୍ବାଇରୁ ବାହାରିଥିଲେ। ବହୁ ସ୍ଥାନରେ ପୋଲିସ ତାଙ୍କୁ ଅଟକାଇଥିଲା। ମାତ୍ର ସେ ତାଙ୍କ ସମସ୍ୟା ଜଣାଇ ଖସି ଆସିଥିଲେ। କେତେକ ସ୍ଥାନରେ ସ୍ଥାନୀୟ ଲୋକେ ତାଙ୍କୁ ଖାଇବାକୁ ଦେଇଥିବା ସେ କହିଛନ୍ତି। ତାଙ୍କ ସହ ବାଲେଶ୍ୱର ଜିଲାର ଅନ୍ୟ ଜଣେ ଓଡ଼ିଆ ଯୁବକ ମଧ୍ୟ ଆସିଥିବା ଦିବ୍ୟରଞ୍ଜନ କହିଛନ୍ତି।