ମୁଣ୍ଡିଆରେ ଚାଲିଛି ବେଆଇନ ବ୍ଲାଷ୍ଟିଂ:ଅଭିଯୋଗ ସତ୍ତ୍ୱେ ନାହିଁ କାର୍ଯ୍ୟାନୁଷ୍ଠାନ

ରଣପୁର,୧୭ା୯(ସ୍ବ.ପ୍ର.): ରଣପୁର ତହସିଲ ଚମ୍ପାପେଡି ପଞ୍ଚାୟତ ନାଗଝରି ଗଁା ପିଲା ମୁଣ୍ଡିଆରେ କମ୍ପ୍ରେସର ଓ ଡିନାମାଇଟ୍‌ ସାହାଯ୍ୟରେ ବେଆଇନ ଭାବେ ବ୍ଲାଷ୍ଟିଂ ଚାଲିଛି। ଏହା ପ୍ରଭାବରେ ଗ୍ରାମର ଅଧିକାଂଶ ଘରର କାନ୍ଥ ଫାଟିଲାଣି। ଆଜବେଷ୍ଟସ୍‌ ମଧ୍ୟ କଣା ହେଲାଣି। ପଥରଖଣ୍ଡ ପଡି ୨ମାସରେ ୫ଜଣ ଆହତ ହେଲେଣି। ସ୍ଥାନୀୟ ବାସିନ୍ଦା ବାରମ୍ବାର ତହସିଲ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ ସୁଫଳ ମିଳୁନି। ଶେଷରେ ସେମାନେ ତହସିଲ ଅଫିସ ଘେରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅଭିଯୋଗ ଅନୁସାରେ ନାଗଝରି ଗଁାଠାରୁ ପିଲା ମୁଣ୍ଡିଆର ଦୂରତା ମାତ୍ର ୩୦ ମିଟର ହେବ। ପୂର୍ବରୁ ଏଠାରେ ପାହାଡ ନିଲାମଧାରୀ କିଛି ଶ୍ରମିକଙ୍କ ଦ୍ୱାରା ପଥର ଖନନ କରୁଥିଲେ। ଗଁା ଲୋକେ ବି ଏହାର ପ୍ରତିବାଦ କରୁ ନ ଥିଲେ। ତେବେ ଖୋର୍ଦ୍ଧାରେ ଏସ୍‌ଟିଏଫ୍‌ ଚଢ଼ାଉ ପରେ ମୁଣ୍ଡିଆରେ ଖଣି ଖନନ ବନ୍ଦ ରହିଛି। ରଣପୁର ଅଞ୍ଚଳରେ ଖଣି ଚାଲିଥିବାରୁ କିଛି ଖଣି ମାଫିଆ ରଣପୁର ମୁହଁା ହୋଇଛନ୍ତି। ପ୍ରାୟ ୨ମାସ ହେଲା ସେମାନେ ପିଲା ମୁଣ୍ଡିଆରେ ବ୍ଲାଷ୍ଟିଂ କରୁଛନ୍ତି। ନାଗଝରୀରେ ୩୦ ପରିବାରର ୨୦୦ ଆଦିବାସୀ ଲୋକ ବାସ କରନ୍ତି। ବ୍ଲାଷ୍ଟିଂ ଯୋଗୁ ଆଦିବାସୀଙ୍କ ବଞ୍ଚତ୍ବା କଷ୍ଟକର ହୋଇପଡିଛି । ପୋଖରୀରେ ଗାଧୋଇବା ବେଳେ ପଥର ଖଣ୍ଡ ପଡୁଛି। ଘରେ ରହିବା ବି ନିରାପଦ ନୁହେଁ । ଆଜବେଷ୍ଟସ୍‌ କଣା ହୋଇ ପଥର ଖଣ୍ଡ ପଡୁଛି । ଜମିରେ ପଥର ଖଣ୍ଡ ପଡିରହି ଚାଷ ଉପରେ ପ୍ରଭାବ ପକାଇବା ନିଶ୍ଚିତ ହୋଇଛି। ଏ ନେଇ ସୁବଳ ପ୍ରଧାନ ଓ କାର୍ତ୍ତିକ ପ୍ରଧାନ କୁହନ୍ତି, ପିଲା ମୁଣ୍ଡିଆରେ ବିସ୍ଫୋରଣ ଯୋଗୁ ଗଁାଲୋକେ ଭୟଭୀତ। କେତେବେଳେ କାହାର କ’ଣ ହେବ କହିହେବ ନାହିଁ। କାରଣ ପଥର ଛେଲା ଉଡି ପୋଖରୀ, ଘର, ଚାଷଜମିରେ ପଡୁଛି । ୨୦ ଜଣଙ୍କ ଘର ଭାଙ୍ଗି ଗଲାଣି। ଅଭିଯୋଗ କଲେ ସୁଫଳ ମିଳୁନି। ତହସିଲ ଅଫିସ ଘେରି ପ୍ରତିବାଦ କରିବାକୁ ନିଷ୍ପତ୍ତି ହୋଇଛି। ତହସିଲଦାର ସୁଶାନ୍ତ କୁମାର ପତି କୁହନ୍ତି, ୫ ବର୍ଷ ହେଲା ମଝିଆଖଣ୍ଡ ଗଁାର ଜଣେ ଲୋକ ଉକ୍ତ ମୁଣ୍ଡିଆ ନିଲାମ ନେଇଛନ୍ତି। ହେଲେ ବ୍ଲାଷ୍ଟିଂ ପାଇଁ ଅନୁମତି ଦିଆଯାଇନି।