ମୁଣ୍ଡରେ ଖପୁରି ପ୍ରତିରୋପଣ ପରେ ସ୍କୁଲ ଯିବ ଜଗା

କଟକ ଅଫିସ, ୧୬ା୯ : କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲାର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ରବିବାର ଆଇନ ଏବଂ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଭେଟିଛନ୍ତି। ଏଥିସହ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ମେଡିକାଲର ସୁପରିଣ୍ଟେଣ୍ଡେଣ୍ଟ ଓ ଚିକିତ୍ସା ଦାୟିତ୍ୱରେ ଥିବା ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ। ମେଡିକାଲରେ ଜଗାକୁ କିଛି ସମୟ ମନ୍ତ୍ରୀ ଜେନା କୋଳରେ ଧରିଥିବା ଦେଖିବାକୁ ମିଳିଥିଲା। ଏ ନେଇ ମନ୍ତ୍ରୀ ଜେନା କହିଛନ୍ତି, ଜଗା ଏବେ ବୁଲୁଛି, ଖେଳୁଛି, ଖାଉଛି। କିନ୍ତୁ କାଳିଆ ଅବସ୍ଥା ଏମ୍‌ସରୁ ଆସିବା ସମୟରୁ ହିଁ ସ୍ଥିର ରହିଛି। ଖୁବ୍‌ଶୀଘ୍ର କାଳିଆ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବ ବୋଲି ଡାକ୍ତର କହିଛନ୍ତି। ଜଗା ମୁଣ୍ଡରେ ଖପୁରି ପ୍ରତିରୋପଣ କରାଯିବା ପରେ ଜଗାକୁ ପାଠ ପଢିବା ପାଇଁ ସ୍କୁଲ ପଠାଯିବ। ଏଥିସହ ମନ୍ତ୍ରୀ ଜେନା ଆହୁରି କହିଛନ୍ତି, ପୃଥିବୀରେ ଏଭଳି ବିରଳ ଅସ୍ତ୍ରୋପଚାର କ୍ୱଚିତ୍‌ ମାତ୍ରାରେ ହୋଇଥାଏ। ଜଗା-କାଳିଆଙ୍କ ଏହି ଘଟଣା ମେଡିକାଲ କ୍ଷେତ୍ରରେ ଗୋଟିଏ ବଡ଼ ସଫଳତା। ଏହି ଘଟଣା ଓ ଅନ୍ୟ ଘଟଣା ଭିତରେ ପାର୍ଥକ୍ୟ ହେଲା ଅନ୍ୟ କେସ୍‌ଗୁଡ଼ିକ ପାର୍ଟଲି ଜଏଣ୍ଟ ହୋଇଥାଏ। କିନ୍ତୁ ଜଗା-କାଳିଆଙ୍କ କ୍ଷେତ୍ରରେ ମୁଣ୍ଡ ସମ୍ପୂର୍ଣ୍ଣ ଭାବେ ଲାଗିକି ଥିଲା। ଜଗାର ବ୍ରେନ୍‌ କାଳିଆ ମୁଣ୍ଡ ଭିତରେ ଓ କାଳିଆ ବ୍ରେନ୍‌ ଜଗା ମୁଣ୍ଡ ଭିତରେ ପଶିକି ଥିଲା। କିନ୍ତୁ ମହାପ୍ରଭୁଙ୍କ ଆଶୀର୍ବାଦରୁ ଉଭୟ ସୁସ୍ଥ ଅଛନ୍ତି। ସେଥିପାଇଁ ଏମ୍‌ସ ଟିମ୍‌କୁ ଧନ୍ୟବାଦ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶା ପୂରଣ ହୋଇଛି। ଅନ୍ୟପକ୍ଷରେ ଏସ୍‌ସିବି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସିବିକେ ମହାନ୍ତି କହିଛନ୍ତି, ଜଗା-କାଳିଆଙ୍କ ଚିକିତ୍ସା ପାଇଁ ୧୪ ଜଣିଆ ଡାକ୍ତରୀ ଟିମ୍‌ ଲାଗିଛନ୍ତି। ଜଗା ସମ୍ପୂର୍ଣ୍ଣ ସୁସ୍ଥ ଅଛି, କିନ୍ତୁ କାଳିଆର ଅବସ୍ଥା ସ୍ଥିର ରହୁଛି। ଡାକ୍ତରମାନେ ପରିଶ୍ରମ କରୁଛନ୍ତି। ଆଶା ରଖିଛୁ ଖୁବ୍‌ଶୀଘ୍ର କାଳିଆ ମଧ୍ୟ ସୁସ୍ଥ ହୋଇଯିବ।