ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି, ପ୍ରଧାନମନ୍ତ୍ରୀ କେୟାରସ୍‌ ଫଣ୍ଡକୁ ୩୪.୨ ଲକ୍ଷ ଦାନ କଲେ ରାଜ୍ୟପାଳ

ଭୁବନେଶ୍ୱର, ୬।୪ (ବ୍ୟୁରୋ): କୋଭିଡ୍‌-୧୯ର ମୁକାବିଲା ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ଯୋଗାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହି କ୍ରମରେ ରାଜନେତାଙ୍କଠାରୁ ଆରମ୍ଭ କରି ଶିଳ୍ପପତି, କ୍ରୀଡାବିତ୍‌, ଫିଲ୍ମ ତାରକା, ଜନପ୍ରତିନିଧି, ସାମାଜିକ ସଂଗଠନ ଏବଂ ସାଧାରଣ ଲୋକ ନିଜ ସାମର୍ଥ୍ୟ ଅନୁସାରେ ସହାୟତାର ହାତ ବଢ଼ାଇଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ ଏହି ଦୁର୍ଦ୍ଦିନରେ ପ୍ରଧାନମନ୍ତ୍ରୀଙ୍କ କେୟାରସ୍‌ ଫଣ୍ଡ୍‌କୁ ୧୩.୨ ଲକ୍ଷ ଟଙ୍କା ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ୨୦୨୦ ମାର୍ଚ୍ଚରୁ ୨୦୨୧ ଫେବୃୟାରୀ ପର୍ଯ୍ୟନ୍ତ ନିଜ ଦରମାର ୩୦ ପ୍ରତିଶତ ଦେବାକୁ ସେ ଘୋଷଣା କରିଛନ୍ତି। ଏଥିସହିତ ସେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସହାୟତା କରିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି।