ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମରେ ୫୬୭ ଚିକିତ୍ସିତ

ଭବାନୀପାଟଣା,୩୦ା୩(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ପ୍ରଥମ ଥର ପାଇଁ ସୋମବାରଠାରୁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋମବାର ଓ ମଙ୍ଗଳବାର ୨ ଦିନରେ ଜିଲାର ୫୬୭ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି। ମଙ୍ଗଳବାର ଦ୍ୱିତୀୟ ଦିନରେ ୫ଜଣ ସୁପର ସ୍ପେଶାଲିଷ୍ଟ ଡାକ୍ତର ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାରେ ବିମାନ ଯୋଗେ ଉତ୍କେଲା ଏୟାର ଷ୍ଟ୍ରିପ୍‌ରେ ପହଞ୍ଚତ୍ଥିଲେ। ସେଠାରୁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ପହଞ୍ଚତ୍ ୩ଶହ ରୋଗୀଙ୍କ ଚିକିତ୍ସା କରାଯାଇଥିଲା। ସେଥିମଧ୍ୟରୁ ୪ଜଣଙ୍କ ଅସ୍ତ୍ରୋପଚାର କରାଯାଇଛି। ଏହି ଡାକ୍ତରୀ ଦଳରେ ୟୁରୋଲୋଜି ସ୍ପେଶାଲିଷ୍ଟ ଡାକ୍ତର ଦତ୍ତେଶ୍ବର ହୋତା, କାର୍ଡିଓଲୋଜି ସ୍ପେଶାଲିଷ୍ଟ ଡାକ୍ତର ସତ୍ୟ ନାରାୟଣ ରାଉତ, ଆନାସ୍ଥେସିଓଲୋଜି ସ୍ପେଶାଲିଷ୍ଟ ଡାକ୍ତର ଦେବପ୍ରସାଦ ମହାନ୍ତି, ନ୍ୟୁରୋଲୋଜି ସ୍ପେଶାଲିଷ୍ଟ ଡାକ୍ତର ଅଶୋକ ମଲ୍ଲିକ, ନେଫ୍ରୋଲୋଜି ସ୍ପେଶାଲିଷ୍ଟ ଡାକ୍ତର ବିବେକାନନ୍ଦ କର ପ୍ରମୁଖ ରହିଥିଲେ। ସୋମବାର ପ୍ରଥମ ଦିନରେ ୭ଜଣ ସୁପର ସ୍ପେଶାଲିଷ୍ଟ ଡାକ୍ତର ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚତ୍ଥିଲେ। ଏଥିରେ ୟୁରୋଲୋଜି ସ୍ପେଶାଲିଷ୍ଟ ଡାକ୍ତର ସୁରେଶ ରୁଲାନିଆ, ଡାକ୍ତର କିଶୋର ଟନଜି, ରେଡିଓଲୋଜି ସ୍ପେଶାଲିଷ୍ଟ ଡାକ୍ତର ଶାନ୍ତିଭୂଷଣ ଦାସ, କାର୍ଡିଓଲୋଜି ସ୍ପେଶାଲିଷ୍ଟ ଡାକ୍ତର ଜେ. ସତ୍ୟ ସାରଥି, ନେଫ୍ରୋଲୋଜି ସ୍ପେଶାଲିଷ୍ଟ ଡାକ୍ତର ରାକେଶ କୁମାର ରାଉତରାୟ ପ୍ରମୁଖ ରହିଥିଲେ। ସେମାନେ ଜିଲାର ୨୬୭ ଜଣ ରୋଗୀଙ୍କୁ ପରୀକ୍ଷା କରି ଚିକିତ୍ସା କରିଥିଲେ। ପ୍ରଥମ ଥର ପାଇଁ କଳାହାଣ୍ଡି ଜିଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା କାର୍ଯ୍ୟକ୍ରମ ଯୋଗୁ ରୋଗୀମାନେ ଉପକୃତ ହେଉଛନ୍ତି। ଏହି କାର୍ଯ୍ୟକ୍ରମ ବୁଧବାର ପର୍ଯ୍ୟନ୍ତ ଜାରି ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ।