ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧୯।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବାସ ନକ୍‌ଭୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଚିଠି ଲେଖିଛନ୍ତି। ୨ଟି ପ୍ରସଙ୍ଗରେ ଧର୍ମେନ୍ଦ୍ର ପୃଥକ ପୃଥକ ଚିଠି ଲେଖିଥିବା ଜଣାପଡ଼ିଛି। ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ ଯୋଜନାରେ ଭଦ୍ରକରେ ଏକ ମେଡିକାଲ କଲେଜ୍‌ ପ୍ରତିଷ୍ଠା ପାଇଁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟକୁ ପ୍ରସ୍ତାବ ଦେବାକୁ ଅନୁରୋଧ କରିଛନ୍ତି। ସେହିପରି ଅନ୍ୟ ଏକ ପୃଥକ ପତ୍ରରେ ନକ୍‌ଭୀଙ୍କୁ ଭୁବନେଶ୍ୱରରେ ସ୍କୁଲ କିମ୍ବା କଲେଜରେ ପାଠ ପଢୁଥିବା ସଂଖ୍ୟାଲଘୁ ଛାତ୍ରୀମାନଙ୍କ ପାଇଁ ଏକ ଛାତ୍ରାବାସ ନିର୍ମାଣ କରିବାକୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ଭଦ୍ରକ ଜିଲାରେ କୌଣସି ଆଞ୍ଚଳିକ ମେଡିକାଲର ସୁବିଧା ନାହିଁ। ଏହି ଜିଲାରେ ମେଡିକାଲ କଲେଜ ନିର୍ମାଣ ହେଲେ ଭଦ୍ରକ ବା ଆଖପାଖରେ ରହୁଥିବା ଲୋକମାନେ ମେଡିକାଲର ସୁବିଧା ପାଇପାରିବେ। ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ(ପିଏମ୍‌ଜେଭିକେ) ଯୋଜନା ସଂଖ୍ୟାଲଘୁ ମନ୍ତ୍ରଣାଳୟ(ଏମ୍‌ଓଏମ୍‌ଏ) ଦ୍ୱାରା କ୍ରିୟାନ୍ବୟନ କରାଯାଇଛି। ଏହି ଯୋଜନା ଅଧୀନରେ ସ୍ବାସ୍ଥ୍ୟକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି ା ଭଦ୍ରକରେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦରକାରୀ ବୈଧାନିକ ଆବଶ୍ୟକତା ପୂରଣ କରିବା ସହ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ଆବେଦନ କରନ୍ତୁ ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର ଏହି ମେଡିକାଲ କଲେଜ ପ୍ରକଳ୍ପ ପାଇଁ ମୂଳଧନର ୬୦ ପ୍ରତିଶତ ଅର୍ଥ ଯୋଗାଇଦେବେ ଓ ରାଜ୍ୟ ସରକାର ମାନବ ସମ୍ବଳ ସମେତ ଅନ୍ୟାନ୍ୟ ଆନୁଷାଙ୍ଗିକ ଖର୍ଚ୍ଚର
ଦାୟିତ୍ୱ ନେବେ ବୋଲି ସେ କହିଛନ୍ତି।