ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ପ୍ରତି ପଞ୍ଚାୟତରେ ହେବ ‘କୋଭିଡ୍‌ କେୟାର ହୋମ୍‌’; ପ୍ରାଥମିକ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ରଖାଯିବ

ଭୁବନେଶ୍ୱର,୧୭।୬(ବ୍ୟୁରୋ): କରୋନା ମୁକାବିଲା ନେଇ ପରବର୍ତ୍ତୀ ରଣକୌଶଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି। ସେ କହିଛନ୍ତି, ରାଜ୍ୟର ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ କରାଯିବ। ଏଥିରେ ୧୦ରୁ ୨୦ଜଣ ବ୍ୟକ୍ତି ରହିପାରିବେ। କୋଭିଡ କେୟାର ହୋମ୍‌ରେ ସାରା ରାଜ୍ୟର ଗ୍ରାମାଞ୍ଚଳର ପ୍ରାୟ ୭୦ହଜାର ଲୋକ ରହିପାରିବେ। ପ୍ରାଥମିକ ଲକ୍ଷଣ ଥିବା ଲୋକଙ୍କୁ ହସ୍ପିଟାଲ ନିଆ ନ ଯାଇ ଏଠାରେ ରଖାଯିବ। ବିଶେଷକରି ଥଣ୍ଡା, ଜ୍ୱର, କାଶ ହେଉଥିବା ଲୋକଙ୍କୁ ପ୍ରଥମେ ଉକ୍ତ ହୋମ୍‌ରେ ରଖାଯିବ। ଟେଷ୍ଟିଂ ପରେ ପଜିଟିଭ୍‌ ଆସିଲେ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ନିଆଯିବ। ଅନ୍ୟଥା ସେ ଘରେ ରହି ଚିକିତ୍ସିତ ହୋଇପାରିବେ। ଏହି ହୋମ୍‌ର ପରିଚାଳନା ଦାୟିତ୍ୱ ସରପଞ୍ଚଙ୍କ ହାତରେ ରହିବ। ଏଥିପାଇଁ ତାଙ୍କୁ ଆର୍ଥିକ ଓ ପ୍ରଶାସନିକ କ୍ଷମତା ମିଳିବ।

ସେହିଭଳି କୋଭିଡ ପରିଚାଳନା ବିକେନ୍ଦ୍ରୀକରଣ ପାଇଁ ସହର ଓ ଗ୍ରାମରେ ଓ୍ବାର୍ଡସ୍ତରୀୟ କମିଟି ଗଠନ ହେବ। କମିଟିରେ ଓ୍ବାର୍ଡସ୍ତରୀୟ ଲୋକ ପ୍ରତିନିଧିଙ୍କ ସହ ଆଶା, ଅଙ୍ଗନଓ୍ବାଡି କର୍ମୀ, ଏଏନ୍‌ଏମ୍‌, ଏସ୍‌ଏଚ୍‌ଜି ସଦସ୍ୟା ରହିବେ। ପ୍ରତି କମିଟିକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବା କ୍ଷମତା ଦିଆଯିବ।

ଅପରପକ୍ଷେ ସହରାଞ୍ଚଳ ଓ୍ବାର୍ଡ କମିଟି ଓ୍ବାର୍ଡ ଅଫିସରଙ୍କ ଦ୍ୱାରା ପରିଚାଳିତ ହେବ। ଏଥିରେ ସ୍ଥାନୀୟ ଲୋକେ ଓ ସ୍ବେଚ୍ଛାସେବୀମାନେ ସଦସ୍ୟ ରହିବେ। ସେମାନେ ଘରକୁ ଘର ବୁଲି ଜନସାଧାରଣଙ୍କଠାରୁ ସେମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କୀୟ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ବିଶେଷକରି ସହରାଞ୍ଚଳର ବଡ଼ ବଡ଼ ବସ୍ତିରେ କୋଭିଡ କେୟାର ହୋମ୍‌ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।