ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ନିର୍ମାଣ ହେବ ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ

ନୟାଗଡ଼ ଅଫିସ,୧୭।୧୦: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମାଣ ହେବ ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ଘୋଷଣା କରିଛନ୍ତି। ଏ ସମ୍ପର୍କରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଜିଲାପାଳ ଡା. ପୋମା ଟୁଡୁ ସୂଚନା ଦେଇଛନ୍ତି। ସେହିଭଳି ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କ ସମ୍ପର୍କୀୟଙ୍କ ପାଇଁ ଏକ ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ। ଏହା ସହିତ ଜିଲା ରୋଗୀ କଲ୍ୟାଣ ସମିତି ପାଣ୍ଠିକୁ ୧୦ ଲକ୍ଷ ଟଙ୍କା, ଜିଲାକୁ ଦୁଇଟି ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡ଼ି ମଞ୍ଜୁର କରାଯାଇଥିବା ଜିଲାପାଳ ଟୁଡ଼ୁ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଗତ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ବିଭାଗ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍‌, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଜାତୀୟ ସ୍ବାସ୍ଥ୍ୟ ମିଶନ ଓଡ଼ିଶାର ପରିଚାଳନା ନିର୍ଦ୍ଦେଶକ ଶାଲିନ ପଣ୍ଡିତ ପ୍ରମୁଖ ୩ ବରିଷ୍ଠ ଅଧିକାରୀ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଏହି ସମୟରେ ଜିଲାପାଳ ଟୁଡୁ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କ ସମେତ ଡାକ୍ତରମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କ ସମ୍ପର୍କୀୟମାନଙ୍କ ପାଇଁ ଆଶ୍ରୟସ୍ଥଳୀ ନ ଥିବା, ଜିଲା ମୁଖ୍ୟ ଚିକିିତ୍ସାଳୟ ପରିସରରେ ସର୍ଜରି ଓ ମେଡ଼ିସିନ ୱାର୍ଡରେ ଶଯ୍ୟା କମ୍‌ ଥିବାରୁ ରୋଗୀମାନେ ହଇରାଣ ହେଉଥିବା ଆଦି ବିଷୟରେ ଆଲୋଚନା ହୋଇଥିଲା।